ସତରେ ‘ବାସ୍ତୁ’ ବୋଲି କିଛି ଅଛି କି ?
ବାସ୍ତୁ : ବିଶ୍ୱାସ ନା ବିଜ୍ଞାନ ?
ଘର ପାଇଁ କେତେ ଜରୁରୀ ବାସ୍ତୁ ?
ଓଡ଼ି ନେଷ୍ଟ : ଭାଗ୍ୟକୁ ଚମତ୍କାର ଲୋକେସନରେ ଜାଗାଟେ ମିଳିଗଲା । କିଛିଦିନ ପରେ ସେଠାରେ ଘରଟିଏ କଲି । ପ୍ରଶଂସନୀୟ ପ୍ଲାନିଂ, ସବୁଠୁ ଭଲ ମ୍ୟାଟେରିଆଲ, ଅଭିଜ୍ଞ କାରୀଗର ଓ ମିସ୍ତ୍ରୀମାନଙ୍କ ଦ୍ୱାରା ତିଆରି ହେଲା ଘର । ପୋର୍ଟିକୋରୁ ପଛପଟ, ଭିତରଠୁ ନେଇ ବାହାର ଖୁବ୍ ସୁନ୍ଦର ଖୁବ ବ୍ୟବସ୍ଥିତ । ମୋଟ୍ ଉପରେ ଘରଟେ ଏମିତି ଯେ ଜଣେ ଦେଖିଲେ ପ୍ରଶଂସା ନକରି ରହିପାରିବନି । କିନ୍ତୁ ଦେଖାଗଲା ଘରକୁ ଯିଏ ଆସୁଛନ୍ତି ପ୍ରଶଂସା ତ କରୁଛନ୍ତି । କିନ୍ତୁ ଅନେକ ପଚାରୁଛନ୍ତି ଘରର ବାସ୍ତୁ ଠିକ୍ ଅଛି ତ ? ଘର ତିଆରି ପୂର୍ବରୁ କେଉଁ ବାସ୍ତୁବିତଙ୍କ ପରାମର୍ଶ ନେଇଥିଲେ ତ ? ରୁମଗୁଡିକର ସ୍ଥିତି, ଦିଗ, କୋଣ ସବୁ ଠିକଠାକ୍ ଅଛି ତ ?
ଘରଟିକୁ ଏତେ ନିର୍ଭୁଲ ଓ ନିଖୁଣ ଭାବେ ନିର୍ମାଣ କରିବା ପରେ ପୁଣି ବାସ୍ତୁ କ’ଣ ? ସତରେ ବାସ୍ତୁ ବୋଲି କିଛି ଅଛି କି ନା ବର୍ଷବର୍ଷ ଧରି ରହିଆସିଥିବା ଅନ୍ୟାନ୍ୟ ଯେକୌଣସି ବିଶ୍ୱାସ ପରି ଏହା ବି ଏକ ବିଶ୍ୱାସ ? ଏହାର କୌଣସି ଭିତ୍ତିଅଛି କି ? ଏହା ସପକ୍ଷରେ ଅଛି କି ଗ୍ରହଣୀୟ ଯୁକ୍ତି ? ଯଦି ଅଛି ତାହେଲେ ବାସ୍ତୁ ଏକ ବିଶ୍ୱାସ ନା ବିଜ୍ଞାନ ? ଶାସ୍ତ୍ରସମ୍ମତ ନା ପ୍ରମାଣସିଦ୍ଧ ? ଟିଭି ପର୍ଦ୍ଦାରେ ବାସ୍ତୁବିତମାନଙ୍କ ପରାମର୍ଶ ଏକ ସୋସିଆଲ ଟ୍ରେଣ୍ଡ ସୃଷ୍ଟି କରିନାହିଁ ତ ? ବାସ୍ତୁକୁ ନେଇ ଗଢିହୋଇଯାଇଛି କି ମାଇଣ୍ଡ ସେଟ ? ଯାହାର ଫଳ ସ୍ୱରୂପ ସାତରୁ ସତୁରୀ ସମସ୍ତେ ଘର ତିଆରି ପୂର୍ବରୁ ବାସ୍ତୁ ବାସ୍ତୁ ହେଉଛନ୍ତି ।
ହଁଁ, ବାସ୍ତୁ ଏକ ବିଶ୍ୱାସ । ଶତ ପ୍ରତିଶତ ବିଶ୍ୱାସ । ବାସ୍ତୁ ଏକ ବିଜ୍ଞାନ । ଶହେ ପ୍ରତିଶତ ବିଜ୍ଞାନ । ପ୍ରଥମେ ଶାସ୍ତ୍ର ସମ୍ମତ ଉପାଖ୍ୟାନକୁ ଯିବା । ଶାସ୍ତ୍ର ଅନୁସାରେ ମଣିଷ ପ୍ରକୃତି ସହିତ ସଂପର୍କିତ । ପ୍ରକୃତିର ପାଞ୍ଚଟି ମୌଳିକ ଉପାଦାନ ମାଟି, ପାଣି ପବନ, ଅଗ୍ନି ଓ ମହାଶୂନ୍ୟ ର ମଣିଷ ଜୀବନ ସହ ଗଭୀର ସଂପର୍କ ରହିଛି । ଏହି ପାଞ୍ଚଟି ମୌଳିକ ଉପାଦାନ ବା ପଞ୍ଚଭୂତର ଆମ ଉପରେ ପ୍ରତ୍ୟକ୍ଷ ପ୍ରଭାବ ଥାଏ । ମଣିଷ ଜୀବନ ଉପରେ ଏହାର ଅବିଶ୍ୱସନୀୟ ପ୍ରଭାବ ରହିଥାଏ । ଏଥିରେ ଟିକେ ଏପଟସେପଟ ହେଲେ ଏହା ଆମର ଚାଲିଚଳନ, ଜୀବନଧାରାକୁ ସିଧାସଲଖ ଭାବେ ପ୍ରଭାବିତ କରିଥାଏ । ନକାରାତ୍ମକ ଶକ୍ତି ପ୍ରବେଶ କରନ୍ତି । ଜୀବନର ସନ୍ତୁଳନ ବିଗିଡ଼ିଯାଏ । ଘର ତିଆରି କରିବା ବେଳେ ଯଦି ଏହିସବୁକୁ ଗୁରୁତ୍ୱ ଦିଆଯାଏନାହିଁ ଅର୍ଥାତ ଅଣଦେଖା କରାଯାଏ ତାହେଲେ ତାହାର ପରିଣାମ ବିଭିନ୍ନ ଭାବେ ପ୍ରତିଫଳିତ ହୁଏ । ଏହା କୌଣସି ଅଲୌିକିକତା ନୁହେଁ ଅଥବା ଭୌତିକ କି ଆଦିଭୌତିକତା ମଧ୍ୟ ନୁହେଁ । ତେଣୁ ମଣିଷ ଜୀବନ ସହିତ ଅତି ନିଗୁଢ ସଂପର୍କ ପ୍ରକୃତିର । ଆଉ ପ୍ରକୃତିର ନିୟମ ସହ ଅନୁବନ୍ଧନ ଯୋଗୁଁ ଅର୍ଥାତ ପ୍ରକୃତିର ନିୟମକୁ ମାନୁଥିବାରୁ ବାସ୍ତୁ ଯଥାର୍ଥରେ ଶାସ୍ତ୍ରତମ୍ମତ ଓ ଯୁକ୍ତିଭିତ୍ତିକ ।
ସେହିପରି ବାସ୍ତୁ ମଧ୍ୟ ଯଥାର୍ଥରେ ବିଜ୍ଞାନ । ବୈଜ୍ଞାନିକ ତଥ୍ୟ ଅନୁଯାୟୀ ପୃଥିବୀର ଉତ୍ତର ମେରୁ ଓ ଦକ୍ଷିଣ ମେରୁ ହେଉଛନ୍ତି ପ୍ରାକୃତିକ ଶକ୍ତିର ଉତ୍ସ । ଏହି ଶକ୍ତି ଉତ୍ତର ମେରୁରୁ ଦକ୍ଷିଣ ମେରୁକୁ ଇଲକ୍ଟ୍ରୋ ମ୍ୟାଗ୍ନେଟିକ ୱେଭ ରୂପରେ ପ୍ରବାହିତ ହୁଏ । ଏହି ପ୍ରବାହ ସମୟରେ ମଣିଷ ଜୀବନ ଉପରେ ଏହି ଶକ୍ତିର ପ୍ରଭାବ ରୁହେ । ଇଲକ୍ଟ୍ରୋ ମ୍ୟାଗ୍ନେଟିକ ୱେଭର ପ୍ରଭାବ ଆମ ଜୀବନ ଉପରେ କେମିତି ଥାଏ ଚିକିତ୍ସା ବିଜ୍ଞାନରୁ ଏହା ସୁସ୍ପଷ୍ଟ । ଏ ସଂପର୍କରେ ଅଧିକ ବିସ୍ତାର ଅନାବଶ୍ୟକ । ଫଳ ସ୍ୱରୂପ ତରଙ୍ଗ ରୂପରେ ପ୍ରବାହିତ ଏହି ଶକ୍ତି ସହିତ ବାସସ୍ଥାନ ଓ ଜୀବନର ସମନ୍ୱୟ ଆବଶ୍ୟକ । ଏହି ସମନ୍ବୟତା ପାଇଁ କେତେକ ଦିଗ ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ । ଉଦାହରଣ ସ୍ୱରୂପ ପ୍ରତି ଘରର ବା ବିଲଡିଂର ଦକ୍ଷିଣ ଭାଗ ଉତ୍ତର ଭାଗ ଅପେକ୍ଷା ଉଚ୍ଚ ହେବା ଆବଶ୍ୟକ । ଏହା ଫଳରେ ମାଗ୍ନେଟିକ ୱେଭ ମୁକ୍ତ ଭାବେ ପ୍ରବାହିତ ହୋଇପାରିବ । ଏପରି ହେଲେ କୌଣସି ପ୍ରତିକୂଳତା ରହିବ ନାହିଁ । ଅନେକ ଦିଗ ଭିତରୁ ଏହା ଏକମାତ୍ର ଉଦାହରଣ । ଏପରି ବହୁ ଦିଗ ରହିଛି ।
ଏସବୁ ସତ୍ତ୍ୱ ଗୋଟିଏ କଥା ଜଳଜଳ ସ୍ପଷ୍ଟ । ବାସ୍ତୁ ବିଶ୍ୱାସ କିମ୍ବା ବିଜ୍ଞାନ ତାହା ଗୃହକର୍ତ୍ତାଙ୍କ ବିଶ୍ୱାସ ଉପରେ ନିର୍ଭର କରେ । ମାନିଲେ ଠାକୁର ନମାନିଲେ ପଥର ନ୍ୟାୟରେ ବାସ୍ତୁ । ମୋଟ୍ ମାନବସମାଜ ଦୁଇଭାଗରେ ବିଭକ୍ତ । ଶାସ୍ତ୍ରପ୍ରେମୀ ଏବଂ ବିଜ୍ଞାନଧର୍ମୀ । ଆପଣ ଯେଉଁ ପକ୍ଷରେ ରୁହନ୍ତୁ ନା କାହିଁକି ବାସ୍ତୁ ସଂପୂର୍ଣ ଗ୍ରହଣୀୟ । କିଛି ନହେଲେବି ଆପଣଙ୍କୁ ଗ୍ରହଣ କରିବାକୁ ପଡିବ ଯେ ଘର ସହିତ ଆଲୋକ, ପାଣି, ପବନର ନିବିଡ ସଂପର୍କ ରହିଛି । ପୃଥଳ ଭାବେ ଏହା ହିଁ ବାସ୍ତୁ । ବିପର୍ଯ୍ୟୟ, ରୋଗ, ଦୁର୍ଘଟଣା ଆଦି ଜୀବନର ଅବିଛେଦ୍ୟ ଅଙ୍ଗ ହୋଇଥିବାରୁ ଘରର ଦିଗ, ସ୍ଥିତି, ଚତୁପାଶ୍ୱର୍କୁ ଗୁରୁତ୍ୱ ଦେବାକୁ ପଡିବ । ତେଣୁ ଘର ତିଆରି ପୂର୍ବରୁ ଦିଗ ପ୍ରତି, ମାଟି ପ୍ରତି, ଚତୁପାଶ୍ୱର୍ର ଅବସ୍ଥିତି, କିଚେନ, ବେଡରୁମ, ଶିଡି, ଠାକୁର ଘର, ବାଥରୁମର ପୋଜିସନ ଇତ୍ୟାଦି ପ୍ରତି ଗୁରୁତ୍ୱ ଦେବା ଉଚିତ ।
କହିବାର ମର୍ମ ହେଲା – ଘରକୁ ଆପଣ ଠିକ୍ ଆକୃତି ଦିଅନ୍ତୁ ଘର ଆପଣଙ୍କ ଜୀବନକୁ ଆକୃତି ଦେଇଦେବ । ସମ୍ଭବତଃ ଏହାହିଁ ବାସ୍ତୁ ।

