ପ୍ରସ୍ତାବିତ ନୂଆ ଭୁବନେଶ୍ୱରର ବି ଭାସିବ!
ଆଗକୁ ବି ଭାସିବା, ବୁଡ଼ିବା।
ଓଡ଼ି ନେଷ୍ଟ : ଅବଶ୍ୟ ଧ୍ୟାନ ନଦେଲେ। ଭୁବନେଶ୍ୱର ପାଇଁ ହୋଇଥିବା ଭୁଲ, ନୂଆ ଭୁବନେଶ୍ୱରରେ ନକଲେ। ନ ସୁଧୁରୁଲେ, ନ ସୁଧାରିଲେ। ଓଡି ନେଷ୍ଟରେ ଆମେ ଆପଣଙ୍କୁ ଜଣେଇ ସାରିଛୁ ଭୁବନେଶ୍ୱର ପାଖରେ ଏକ ଅତ୍ୟାଧୁନିକ ସହର ବସୁଛି। ଗୋଠପାଟଣା ଓ ଦାସପୁରରେ ପ୍ରସ୍ତାବିତ ଏ ସହର ପାଇଁ ପ୍ରାଥମିକ ଭାବେ ମାର୍କେଟ୍ ଷ୍ଟଡି ଲାଗି ଯୋଜନା ଆରମ୍ଭ ହୋଇଛି। ହେଲେ ଡର. ସେ ଭୁବନେଶ୍ୱରରେ ଏ ଭୁବନେଶ୍ୱରର ସମସ୍ୟା ହେବନି ତ ? ନୂଆ ଭୁବନେଶ୍ୱର ବା ଭୁବନେଶ୍ୱର 2.O ନିର୍ମାଣର ନକ୍ସା ପ୍ରସ୍ତୁତି ବେଳେ ବିଶେଷ କରି ସହରୀ ବନ୍ୟାରୁ ବର୍ତ୍ତିବାକୁ ବିଡିଏକୁ କେଉଁ କେଉଁ ଗଲତିରୁ ବର୍ତ୍ତିବା ଉଚିତ୍- ଦେଖନ୍ତୁ ଓଡି ନେଷ୍ଟର ପରାମର୍ଶ:-
‘ଭୁବନେଶ୍ୱର 2.O’ରେ ଏସବୁ ଗଲତି ନକରୁ ବିଡିଏ
ଅବିକିଶିତ ବିକାଶର ସମସ୍ୟା: ବିନା ଯୋଜନାରେ ବିକାଶ
– ବିଗତ ଦଶନ୍ଧି ଧରି ଭୁବନେଶ୍ୱର ଭଳି ପ୍ରସ୍ତିବାତ ନୂଆ ଭୁବନେଶ୍ୱର ମଧ୍ୟ ଏକ ବୃହତ୍ତ ସହରୀ କେନ୍ଦ୍ର ରୂପେ ଉଭା ହେବା ଦିଗରେ ଅଗ୍ରସର ହେବ ।
– ଅଭିଜ୍ଞତା କହୁଛି ଦ୍ରୁତ ସହରୀକରଣ ସହିତ ଅବିକଶିତ ବିକାଶର ଯଥେଷ୍ଟ ଆଶଙ୍କା ରହିଛି।
– ଭୁବନେଶ୍ୱର 2.Oର ସମ୍ଭାବ୍ୟ ବିଶାଳ ବିସ୍ତାର ଦୃଷ୍ଟିରୁ ବିକାଶ ଯୋଜନାର ପ୍ରତିଟି ପଦକ୍ଷେପକୁ ସତର୍କତାର ସହ ଭାବିଚିନ୍ତି ଆଗକୁ ନନେଲେ ଏହା ଗୁରୁତର ଟ୍ରାଫିକ ଭଳି ବହୁବିଧ ଗୁରୁତର ସମସ୍ୟାକୁ ଡାକି ଆଣିବା ଥୟ।
– ଯେଉଁଥିରେ ସର୍ବାଗ୍ରେ ରହିବ ସହରୀ ବନ୍ୟା ବିଭୀଷିକା।
ନିଅଣ୍ଟ (ଇନଆଡେକ୍ବେଟ୍)ଜଳ ନିଷ୍କାସନ ବ୍ୟବସ୍ଥା ଓ ଜଳ ପରିଚାଳନା
– ପ୍ରସ୍ତାବିତ ନୂଆ ଭୁବନେଶ୍ୱରର ଏକ ଗୁରୁତ୍ବପୂର୍ଣ୍ଣ ଦିଗ ହେଉଛି ଜଳ ପରିଚାଳନା। ଖରାପ ଡ୍ରେନେଜ୍ ସିଷ୍ଟମ୍ ଯୋଗୁଁ ଅନେକ ଭାରତୀୟ ସହରରେ ସହରୀ ବନ୍ୟା ଏକ ବଡ଼ ସମସ୍ୟା। ଯାହା ଲଗାତର ବିଗତ କିଛି ବର୍ଷ ଧରି ଆମେ ଏଠି ବି ଭୋଗି ଆସୁଛେ।
– ତେଣୁ ଭୁବନେଶ୍ୱର 2.O ପାଇଁ ଏକ ଉନ୍ନତ ଏବଂ ବୃହତ ଡ୍ରେନେଜ୍ ନେଟୱାର୍କରେ ପୁଞ୍ଜି ଖଟାଇବା ଜରୁରୀ।
– ଯଦ୍ବାରା କି ଏ ବ୍ୟବସ୍ଥା ମୌସୁମୀ ଋତୁ ହେଉ କି କ୍ଲାଉଡ୍ ବ୍ରଷ୍ଟ ଭଳି ସ୍ଥିତିରେ ହଠାତ୍ ଏକକାଳୀନ ପ୍ରବଳରୁ ଅତି ପ୍ରବଳ ବର୍ଷା ଦ୍ବାରା ସୃଷ୍ଟ ବନ୍ୟା ସ୍ଥିତିର ନିୟନ୍ତ୍ରଣ ଓ ମୁକାବିଲା କରି ପାରିବ।
ସବୁଜ ବଳୟ ଏବଂ ପ୍ରାକୃତିକ ଉତ୍ସ( ୱାଟର ବଡିଜ୍)ର ଅଭାବ
– ସହରୀକରଣ ଏବଂ ପ୍ରକୃତି ମଧ୍ୟର ସନ୍ତୁଳନର ରେଖାଟି ଅତି ସୂକ୍ଷ୍ମ। ନୂଆ ଭୁବନେଶ୍ୱରକୁ ଏହା ନିଶ୍ଚିତ କରିବାକୁ ପଡ଼ିବ ଯେ ଏହାର ବିକାଶ ହରାଭରା ସବୁଜ ସ୍ଥାନ, ଆର୍ଦ୍ରଭୂମି ଓ ପ୍ରାକୃତିକ ଜଳ ଉତ୍ସର ବିନାଶରେ ନହେଉ।
– ପ୍ରାକୃତିକ ଜଳ ଉତ୍ସ ସବୁ ସରହୀ ବନ୍ୟା ବିପକ୍ଷରେ ପ୍ରାକୃତିକ ପ୍ରତିରୋଧୀ ବା ନ୍ୟଚୁରାଲ ବଫର ଭାବେ କାର୍ଯ୍ୟ କରେ।
– ତେଣୁ ସହରର ସ୍ଥାୟୀ ଅଭିବୃଦ୍ଧି ପାଇଁ ନିର୍ମାଣ ସମୟରେ ଏସବୁ ଅମୂଲ୍ୟ ସଂପତ୍ତିର ସଂରକ୍ଷଣ ନିହାତୀ ଜରୁରୀ।
ମହଙ୍ଗା(ଅନଆଫର୍ଡେବୁଲ)ବାସଗୃହ ଓ ଅନିୟନ୍ତ୍ରିତ ବସ୍ତି
– ନୂଆ ଭୁବନେଶ୍ୱରର ବିକାଶ ସହିତ ଏହା ବି ସୁନିଶ୍ଚିତ କରିବା ଜରୁରୀ କି ବାସଗୃହର ଦାମ ସମସ୍ତଙ୍କ ପାଇଁ ଯେଭଳି ସୁଲଭ ରହୁ। ସମସ୍ତଙ୍କ ପାଇଁ ଆଫର୍ଡେବୁଲ୍ ହାଉସିଂ ସୁବିଧା ରହୁ। ଆର୍ଥିକ ଅନଗ୍ରସର ପରିବାର ପାଇଁ ବି। ନହେଲେ ଠିକଣା ଢଙ୍ଗରେ ଭିତ୍ତିଭୂମି ପ୍ରସ୍ତୁତି ବିନା ଏଣେ ତେଣେ ଅଯଥା ନିର୍ମାଣ ଓ ବସ୍ତି ସଂଖ୍ୟା ବଢ଼ିବାକୁ ରୋକି ହେବନି। ଯାହା ସହରୀ ବନ୍ୟା ସମୟରେ ସବୁଠୁ ବେଶି ପ୍ରଭାବିତ ହୋଇଥାଏ।
– ତେଣୁ ସମସ୍ତଙ୍କ ପାଇଁ ସୁଲଭ ଦରର ବାସଗୃହ ସୁନିଶ୍ଚିତ କରାଯିବା କେବଳ ବାସିନ୍ଦାଙ୍କ ସ୍ବାଭିମାନ ରକ୍ଷାରେ ସହାୟକ ହେବନି, ଅନପ୍ଲାନ୍ଡ ସେଟେଲମେଣ୍ଟ ସହ ଜଡ଼ିତ ବନ୍ୟାବିପତ୍ତିକୁ ବି କମ୍ କରିବ।
ଭିତ୍ତିଭୂମି ଅଭାବ ଥାଇ ଯୋଜନା
– ସହରର ଭିତ୍ତିଭୂମି, ବିଶେଷକରି ବନ୍ୟା ପ୍ରବଣ ଅଞ୍ଚଳରେ, ମଜଭୁତ ହେବା ଆବଶ୍ୟକ। ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସହରର ରାସ୍ତା, ବ୍ରିଜ୍ ଏବଂ ସର୍ବସାଧାରଣ ଭବନଗୁଡିକ ଡିଜାଇନ୍ କରାଯିବା ଆବଶ୍ୟକ।
– କେବଳ ସେତିକି ନୁହେଁ, ବିଦ୍ୟୁତ- ଟେଲିଫୋନ୍ ଖୁଣ୍ଟ, ମୋବାଇଲ ଟାୱାର, ବିଲଡିଂଠୁ ନେଇ ସମସ୍ତ ଇନଫ୍ରାଷ୍ଟ୍ରକ୍ଚର ବାତ୍ୟା ପ୍ରତିରୋଧୀ ବା ବାତ୍ୟା ସହଣି ହେବା ସହ ଭୂକମ୍ପ ପ୍ରତିରୋଧୀ ହେବା ବି ଜରୁରୀ।
– ବନ୍ୟା, ବାତ୍ୟା ଭଳି ସ୍ଥିତିରେ ଯେମିତି ସାଧାରଣ ଜୀବନ ଯାତ୍ରା ବ୍ୟାହାତ ନହୁଏ, ଟ୍ରାଫିକ୍ ବ୍ୟବସ୍ଥା ସ୍ବାଭାବିକ ରୁହେ, ତାକୁ ଦୃଷ୍ଟିରେ ରଖି ସିଟି ଇନଫ୍ରାଷ୍ଟକ୍ଚର ଡିଜାଇନ କରାଯିବା ଦରକାର।
ଅଣଭାଗିଦାରୀ ବିକାଶ ମଡେଲ
– ଏ ଦିଗଟି ବେଶି ଗୁରୁତ୍ବପୂର୍ଣ୍ଣ। ଯୋଜନା ପ୍ରକ୍ରିୟାରେ ସ୍ଥାନୀୟ ଅଧିବାସୀ, ପରିବେଶ ବିଶେଷଜ୍ଞ ସମେତ ଅନ୍ୟ ଷ୍ଟେକହୋଲଡର ମାନଙ୍କୁ ସାମିଲ କରାଯିବା ଉଚିତ୍
– ସମାବେଶୀ ଏବଂ ସସଟେନେବୁଲ ବା ଧାରଣକ୍ଷମ ବିକାଶ ପାଇଁ ସ୍ଥାନୀୟ ଧାରଣା, ଜ୍ଞାନ ଏବଂ ଚିନ୍ତା ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ
ଅସ୍ଥିର ବିତ୍ତୀୟ ମଡେଲ
– ଦୀର୍ଘକାଳୀନ ଭିତ୍ତିରେ ନୂଆ ଭୁବନେଶ୍ବର ସଫଳ ହେବା ପାଇଁ ଏକ ସ୍ଥାୟୀ ବିତ୍ତୀୟ ମଡେଲର ଆବଶ୍ୟକତା ରହିଛି।
– ସ୍ବଳ୍ପକାଳୀନ ଫାଇଦା ଉପରେ ନିର୍ଭର କରି ରହିଗଲେ ଏହା ଦୀର୍ଘକାଳୀନ ଭିତ୍ତିଭୂମିର ନିବେଶ ଯୋଜନାକୁ ବିଗାଡ଼ି ପାରେ। ଯାହା ବନ୍ୟା ଏବଂ ଅନ୍ୟ ପ୍ରାକୃତିକ ଦୁର୍ବିପାକକୁ ସାମ୍ନା କରିବାରେ ସହରର କ୍ଷମତାକୁ ହ୍ରାସ କରିଦେବ।
ଆଗକୁ ରାସ୍ତା: ବନ୍ୟା ପ୍ରତିରୋଧୀ ନୂଆ ଭୁବନେଶ୍ୱର ଆଡ଼େ
– ଅନ୍ୟ ସହରର ଅଭିଜ୍ଞତାରୁ ଶିଖିବା
– ସହରୀ ବନ୍ୟା ବିପତ୍ତିକୁ ପ୍ରାଥମିକତା ଦେବା
– ସୁଲଭ ବାସଗୃହ ଏବଂ ସ୍ଥାୟୀ ଭିତ୍ତିଭୂମି ଉପରେ ଧ୍ୟାନ ଦେବା
– ପୂର୍ବ ଅଭିଜ୍ଞତାରୁ ଶିଖି, ଛୋଟରୁ ଛୋଟ ଗଲତିକୁ ସୁଧାରି ଯୋଜନା ବନେଇବା
ଏସବୁର ଅବଲମ୍ବନରେ ନୂଆ ଭୁବନେଶ୍ବର ଯେ ସମସ୍ତ ପ୍ରାକୃତିକ ବିପତ୍ତିକୁ ସଫଳତାର ସହ ମୁକାବିଲା କରି ଏ ଦିଗରେ ଏକ ମଡେଲ ସହର ଭାବେ ଉଭା ହେବ ଏଥିରେ ସନ୍ଦେହ ନାହିଁ।

