ବେଆଇନ ଆପାର୍ଟମେଣ୍ଟର ସଂଜ୍ଞା କଣ?
ବେଆଇନ ଆପାର୍ଟମେଣ୍ଟ ଭଙ୍ଗାଗଲେ ଘର ମାଲିକ କଣ କରିବେ?
କ୍ଷତିପୂରଣ କିଏ ଦେବ ସରକାର ନା ବିଲଡର ସଂସ୍ଥା?
ବେଆଇନ ଆପାର୍ଟମେଣ୍ଟ ନିର୍ମାଣରେ ରୋକ ଲଗାଇବାକୁ ସରକାର ଆଣନ୍ତୁ ଏସଓପି
ଓଡ଼ି ନେଷ୍ଟ :୨୦ ବର୍ଷର ସଞ୍ଚୟ ଆଉ ଦୀର୍ଘ ଦିନର ସ୍ୱପ୍ନ । ରାଜଧାନୀରେ ନିଜ ଘର କରିବାର ଯେଉଁ ଅଭିଳାଷା ଥିଲା ତାହା ଏଇ ମାସ କେଇଟା ପୂର୍ବରୁ ପୂରା ହୋଇଥିଲା । ୪ ମହଲା ଆପାର୍ଟମେଣ୍ଟରେ ୩ ବିଏଚକେ ଫ୍ଲାଟ ଟିଏ କିଣିଥିଲେ । ଗୃହପ୍ରବେଶ ପୂର୍ବରୁ ଭଲ ଭୋଜିଟିଏ ମଧ୍ୟ କରିଥିଲେ । ବସରେ ଗାଁ ଲୋକଙ୍କୁ ଡକାଇ ଭୋଜି ଖୁଆଇ ଛାଡିଥିଲେ । ଭୁବନେଶ୍ୱରରେ ଘର ହୋଇଗଲା ବାସ, ଏବେ ଆଗାମୀ ଜୀବନ ଶାନ୍ତିରେ କଟିବ ବୋଲି ଭାବିଥିଲେ ପ୍ରମୋଦ । ଆକାଉଣ୍ଟରେ ଜରୁରୀ ଖର୍ଚ୍ଚ ପାଇଁ କିଛି ଟଙ୍କାକୁ ଛାଡିଦେଲେ ଆଉ ବିଶେଷ ସେଭଳି ସଞ୍ଚୟ ନଥିଲା । ସଞ୍ଚିତ ଅର୍ଥରୁ ୮୫ ଲକ୍ଷ ଟଙ୍କା ବିଲଡର ଆକାଉଣ୍ଟକୁ ଯାଇ ସାରିଥିଲା । କିନ୍ତୁ ହଠାତ୍ ଖବର ଆସିଲା, ଭୁବନେଶ୍ୱରର ୧୯୧ଟି ବେଆଇନ ଆପାର୍ଟମେଣ୍ଟ ଭାଙ୍ଗିବେ ସରକାର । ବେଆଇନ ଆପାର୍ଟମେଣ୍ଟର ତାଲିକା ଦେଖୁ ଦେଖୁ ପ୍ରମୋଦ ନିଜ ଆପାର୍ଟମେଣ୍ଟର ନାଁ ଥିବା ଜାଣିବା ପରେ ଥମ ହୋଇ ବସିଗଲେ । ପୂରା ଦୁନିଆ ତାଙ୍କୁ ଅନ୍ଧାର ଦିଶିଲା, କଣ କରିବେ ଜାଣିପାରୁନଥାନ୍ତି । ଝାଳବୁହା ଧନରେ ଘର କିଣିଥିଲି, ଏମିତି କେମିତି ହୋଇପାରିବ ବୋଲି ଭାବୁଥିଲେ ପ୍ରମୋଦ । ବୁକିଂ ପୂର୍ବରୁ ବିଲଡର ତ ଆପାର୍ଟମେଣ୍ଟର ସବୁକିଛି ଠିକ୍ ବୋଲି କହିଥିଲେ, କିନ୍ତୁ ନିର୍ମାଣ ସରିବା ବେଳକୁ ଆପାର୍ଟମେଣ୍ଟ ବେଆଇନ କେମିତି ହୋଇଗଲା? ଏ ଖବର ଆସିବା ପରେ ପ୍ରମୋଦଙ୍କ ଭଳି ହଜାର ହଜାର ଫ୍ଲାଟ ମାଲିକଙ୍କ ଅବସ୍ଥା ଏମିତି । ୨ ଦିନ ପୂର୍ବେ ଭୁବନେଶ୍ୱରରେ ନିଜର ବୋଲି ଥିବା ଘରେ ଏବେ ଲାଗିଛି ବେଆଇନ ନିର୍ମାଣ ଟ୍ୟାଗ୍ । ଘର ଭାଙ୍ଗିବା ଖବର ଆସିବା ପରେ ୧୯୧ ଫ୍ଲାଟରେ ଘର କିଣିଥିବା ମାଲିକଙ୍କ ମନରେ ଏବେ ଅଜଣା ଭୟ । ଆଗକୁ କଣ ହେବ? କିନ୍ତୁ ମନରେ ପ୍ରଶ୍ନ ଉଠେ,
ପ୍ରମୋଦଙ୍କ ଭଳି ହଜାର ହଜାର ଫ୍ଲାଟ ମାଲିକଙ୍କର ଭୁଲ କଣ?
ଯଦି ଆପାର୍ଟମେଣ୍ଟ ବେଆଇନ, ତେବେ ନିର୍ମାଣ ବେଳେ ଏହାକୁ ରୋକାଗଲାନି କାହିଁକି?
ବେଆଇନ ଆପାର୍ଟମେଣ୍ଟ ନିର୍ମାଣ ପାଇଁ ଅନୁମତି ଦେଲା କିଏ?
ଯେଉଁ ଅଧିକାରୀ ଅନୁମତି ଦେଇଛନ୍ତି ସେମାନଙ୍କ ବିରୋଧରେ କାହିଁକି ହେବନି କାର୍ଯ୍ୟାନୁଷ୍ଠାନ?
ସାଧାରଣତଃ ଘରଟିଏ ନିର୍ମାଣ ହେଲେ ସମସ୍ତଙ୍କ ନଜରକୁ ଆସିଥାଏ । ହେଲେ ରାଜଧାନୀ ଛାତି ଉପରେ ବେଆଇନ ଭାବେ ଆପାର୍ଟମେଣ୍ଟ ନିର୍ମାଣ ହେଉଛି, କିନ୍ତୁ କେହି ଜାଣିପାରିଲେନି କେମିତି? ବିଏମସି, ବିଡିଏ ସର୍ବୋପରି ରେରା ପକ୍ଷରୁ, ପକ୍ଷରୁ ଥିବା ବିଭିନ୍ନ ମାପଦଣ୍ଡ ପୂରା କରିବା ପରେ ଜଣେ ଆପାର୍ଟମେଣ୍ଟ ନିର୍ମାଣ କରିବାକୁ ଅନୁମତି ପାଇଥାଏ । ଯଦି ଆପାର୍ଟମେଣ୍ଟ ବେଆଇନ ଭାବେ ନିର୍ମାଣ ହେଉଛି ତେବେ ବିଏମସି ଓ ବିଡିଏ ପକ୍ଷରୁ ଅଙ୍କୁଶ ଲଗାଇବାରେ ଅସୁବିଧା କେଉଁଠି? ଆପାର୍ଟମେଣ୍ଟ ନିର୍ମାଣ ଶେଷ ହେବା ପରେ କାହିଁକି ବେଆଇନ ଟ୍ୟାଗ ଲାଗୁଛି? ଯଦି ନିର୍ମାଣ ଆରମ୍ଭରୁ ଆପାର୍ଟମେଣ୍ଟ ବେଆଇନ ନଥିଲା, ତେବେ ନିର୍ମାଣ ଶେଷ ହେବା ପରେ ବେଆଇନ ହେଲା କେମିତି? ବିଭାଗ ଓ ବିଲଡରଙ୍କ ମଧୁଚନ୍ଦ୍ରିକାରେ ସାଧାରଣ ଲୋକଟିଏ କାହିଁକି ବଳି ପଡିବ?
ବିନା କ୍ଷତିପୂରଣରେ ଭାଙ୍ଗି ପାରିବ କି ଆପାର୍ଟମେଣ୍ଟ?
ପୂର୍ବରୁ ନୋଏଡାରେ ବେଆଇନ ଭାବେ ନିର୍ମାଣ ହୋଇଥିବା ସୁପରଟେକ୍ ଟ୍ୱିନ୍ ଟାୱାର କେମିତି ଧ୍ୱଂସସ୍ତୁପରେ ପରିଣତ କରାଗଲା ତାହାର ଲାଇଭ ଭିଡ଼ିଓ ଆମେ ଦେଖିଛେ । ଏବେ ବିଧାନସଭାରେ ବିଭାଗୀୟ ମନ୍ତ୍ରୀ କହିଛନ୍ତି, ବେଆଇନ ଆପାର୍ଟମେଣ୍ଟ ଭଙ୍ଗାଯିବ । କିନ୍ତୁ ପ୍ରଶ୍ନ ଉଠୁଛି, ପ୍ରମୋଦଙ୍କ ଭଳି ଭଙ୍ଗାଯିବା ତାଲିକାରେ ଥିବା ଆପାର୍ଟମେଣ୍ଟ କିଣିଥିବା ବ୍ୟକ୍ତି କ୍ଷତିପୂରଣ ପାଇବେ ନା ନାହିଁ । ସେନେଇ କୌଣସି ସ୍ପଷ୍ଟୀକରଣ ରଖାଯାଇନାହିଁ । ଟ୍ୱିନ୍ ଟାୱାରରେ ଫ୍ଲାଟ କିଣିଥିବା ବ୍ୟକ୍ତିଙ୍କୁ କ୍ଷତିପୂରଣ ମିଳିଛି । ତେଣୁ ଭୁବନେଶ୍ୱରରେ ଯେଉଁ ବେଆଇନ ଆପାର୍ଟମେଣ୍ଟ ଭଙ୍ଗାଯିବାକୁ ସ୍ଥିରୀକୃତ ହୋଇଛି ସେଠାରେ ଫ୍ଲାଟ କିଣିଥିବା ବ୍ୟକ୍ତିଙ୍କୁ କ୍ଷତିପୂରଣ ଦିଆଯିବନି କାହିଁକି? ବିଧାନସଭାରେ ଉଠିଥିବା ଏହି ପ୍ରସଙ୍ଗର ବାସ୍ତବ ରୂପ ନେବ ନା ବିଧାୟକଙ୍କ ପ୍ରଶ୍ନ ଓ ମନ୍ତ୍ରୀଙ୍କ ଉତ୍ତର ଭିତରେ ସୀମିତ ରହିବ । ଏକଥା ଆମେ ଏଥିପାଇଁ କହୁଛୁ, କାରଣ ପୂର୍ବରୁ ଅନେକ ବେଆଇନ ଆପାର୍ଟମେଣ୍ଟ ଭଙ୍ଗାଯିବାକୁ ନିଷ୍ପତ୍ତି ହୋଇଥିଲେ ମଧ୍ୟ କ୍ଷତିପୂରଣ ପ୍ରସଙ୍ଗ ପାଖରେ ହିଁ ଅଟକିରହିଛି । ତେଣୁ ଏବେ ଯେଉଁ ୧୯୧ ଆପାର୍ଟମେଣ୍ଟ ଭଙ୍ଗାଯିବାକୁ ନିଷ୍ପତ୍ତି ହୋଇଛି ତାହାକୁ କାର୍ଯ୍ୟକାରୀ କରିବା କାଠିକର ପାଠ । ସରକାରଙ୍କ ନିର୍ଦ୍ଦେଶରେ କେବଳ ଘର ଭଙ୍ଗା ଯାଇପାରିବନି, କାରଣ ଘର ଭଙ୍ଗାଯିବା ବେଳେ କ୍ଷତିପୂରଣ ଦାବି କରିବା ମାଲିକଙ୍କର ଅଧିକାର ।
ବେଆଇନ ଆପାର୍ଟମେଣ୍ଟ ନିର୍ମାଣରେ କେମିତି ଲାଗିବ ରୋକ୍?
ବେଆଇନ ଆପାର୍ଟମେଣ୍ଟ ନିର୍ମାଣକୁ ନେଇ ସର୍ବଦା ପ୍ରଶ୍ନ ଉଠୁଛି, କିନ୍ତୁ ବେଆଇନ ଆପର୍ଟମେଣ୍ଟ ନିର୍ମାଣକୁ କିଭଳି ରୋକାଯିବ ସେନେଇ ତତ୍ପରତା ପ୍ରକାଶ ପାଉନି । ବେଆଇନ ଆପାର୍ଟମେଣ୍ଟର ସଂଜ୍ଞା କଣ, ତାହାକୁ ସରଳ ଭାବରେ ଲୋକଙ୍କୁ ବୁଝାଯାଉନି । କେଉଁ ଗ୍ରାଉଣ୍ଡରେ ଗୋଟିଏ ଆପାର୍ଟମେଣ୍ଟକୁ ବେଆଇନ କୁହାଯିବ ସେନେଇ ଓଡ଼ିଆରେ କୌଣସି ତଥ୍ୟ ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରୁନି । ଯେଉଁଥିପାଇଁ ସାଧାରଣ ଲୋକଙ୍କୁ ବିଲଡର ମାନେ ବେଶ ସହଜରେ ଭୁଆଁ ବୁଲାଉଛନ୍ତି । ବେଆଇନ ଆପାର୍ଟମେଣ୍ଟ ଭଙ୍ଗାଯିବ ଠିକ୍ ଅଛି କିନ୍ତୁ ବେଆଇନ ଆପାର୍ଟମେଣ୍ଟର ଯେପରି ନିର୍ମାଣ ନହେବ ସେଥିପାଇଁ ଏସଓପି ଆସିବା ଆବଶ୍ୟକ । ଯେଉଁଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିବା ଦରକାର, କେଉଁ କେଉଁ କାରଣ ପାଇଁ ଗୋଟିଏ ଆପାର୍ଟମେଣ୍ଟକୁ ବେଆଇନ କୁହାଯିବ? ଆପାର୍ଟମେଣ୍ଟ ନିର୍ମାଣ ପୂର୍ବରୁ ବିଲଡର ତଥା କମ୍ପାନି ସମସ୍ତ ତଥ୍ୟ ପ୍ରକଳ୍ପ ସ୍ଥଳରେ ଉଲ୍ଲେଖ କରିବେ ।
ଭୁବନେଶ୍ୱରରେ ୪୯୧ଟି ବେଆଇନ ଆପାର୍ଟମେଣ୍ଟ ବିରୋଧରେ ବିଡିଏ ମାମଲା ରୁଜୁ କରିଛି । ଯେଉଁଥିରୁ ୧୯୧ଟି ବେଆଇନ ଆପାର୍ଟମେଣ୍ଟ ଭଙ୍ଗାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ୨୩୭ଟି ଆପାର୍ଟମେଣ୍ଟର ମାମଲା କୋର୍ଟରେ ବିଚାରଧୀନ ରହିଛି । ବିଏମସି ଅଧିନରେ ଏହି ସଂଖ୍ୟା ବଢି ୧୪୪୪ରେ ପହଞ୍ଚିଛି । ତେଣୁ ଭୁବନେଶ୍ୱରରେ ପ୍ରମୋଦଙ୍କ ଭଳି ଫ୍ଲାଟ କିଣି ଠକାମୀରେ ପଡ଼ିବା ପୂର୍ବରୁ ତନ୍ନ ତନ୍ନ କରି ସବୁ ତଥ୍ୟ ଯାଞ୍ଚ କରନ୍ତୁ । ଖୁବଶୀଘ୍ର ଓଡ଼ି ନେଷ୍ଟ ଦେବ ଏ ବାବଦରେ ଟିକିନିକି ତଥ୍ୟ । ଯାହାଦ୍ୱାରା ଆଉ ଠକାମୀରେ ପଡିବେ ନାହିଁ ଘର କିଣୁଥିବା ସାଧାରଣ ଲୋକ ।

