ମାତ୍ର କେଇ ଶହ ଟଙ୍କାରେ ରିୟଲ ଇଷ୍ଟେଟ ବ୍ୟବସାୟରେ କରିପାରିବେ ଏଣ୍ଟ୍ରି
ଆପଣଙ୍କ ସମ୍ପତ୍ତି ନେବାକୁ କୋଟିପତି କ୍ଲାଏଣ୍ଟଙ୍କର ଲାଗିବ ଭିଡ
ବଛା ବଛା ବଡ ସହରର ପ୍ରାଇମ ଲୋକସେନରେ ଛିଡା ହେବ ଆପଣଙ୍କ ସମ୍ପତ୍ତି
କୁଆଡେ ଯିବାକୁ ପଡିବନି, ଘରୁ ବସି ମୋବାଇଲରେ କରିବେ ଅପରେଟ
ଓଡ଼ି ନେଷ୍ଟ : ସ୍ୱପ୍ନ ଦେଖୁନାହାନ୍ତି ମ… ଏଇଟା ହିଁ ସତ । ଆପଣ ପଚାରିବେ ମାତ୍ର କେଇଶହ ଟଙ୍କା ନିବେଶରେ କୋଟିପତି କ୍ଲାଇଣ୍ଟ କାହିଁକି ମୋ ପାଖକୁ ଆସିବେ । ଭୁବନେଶ୍ୱରର ସାଧାରଣ ହୋଟେଲର ଗୋଟିଏ ଲଞ୍ଚ ମିଲ (LAUNCH MEAL)ର ଦାମରେ ଦେଶର ବଡ ସହରରେ ପ୍ରାଇମ ଲୋକସନରେ ଆପଣଙ୍କୁ କିଏ ଦେବ ସମ୍ପତ୍ତି । ଏଭଳି କହୁଥିବା ବ୍ୟକ୍ତିଙ୍କୁ ଆପଣ ପାଗଳ କହିବେ ନଚେତ ଠକାମୀର ଶିକାର ହେବାକୁ ଯାଉଛନ୍ତି ବୋଲି ଅନୁଭବ କରିବେ । ମନରେ ଆପଣାଛାଏଁ ପ୍ରଶ୍ନ ଉଙ୍କି ମାରିବ, ସତରେ କଣ ଏହା ସମ୍ଭବ? ଆଜ୍ଞା ହଁ, ପୂରା ସମ୍ଭବ । ଏହାକୁ ଆରଇଆଇଟି (REIT) ସମ୍ଭବ କରି ଦେଖାଉଛି? ଆରଇଆଇଟି କଣ ଜାଣିବାକୁ ଚାହୁଁଛନ୍ତି, ଟିକିଏ ସମୟ ଦିଅନ୍ତୁ, ଆଉ ତଳକୁ ସ୍କ୍ରଲ କରନ୍ତୁ ।
ଧୈର୍ଯ୍ୟ ଧରି ପଢିବେ, ତାହେଲେ ଜାଣିବେ
ମଧ୍ୟବିତ୍ତ ପରିବାରର ସବୁଠୁ ବଡ ସ୍ୱପ୍ନ । ସହରରେ ଖଣ୍ଡେ ଜାଗା କି ଘର ଥିବ । ତା ଜରିଆରେରେ ମାସିକ କିଛି ଟଙ୍କା ଆସୁଥିବ । ସେ ବ୍ୟବସାୟିକ ହେଉ ଅବା ଘରୋଇ ଭଡାରୁ । ଯାହାଦ୍ୱାରା ରୋଜଗାରର ଅନ୍ୟ ଏକ ମାଧ୍ୟମ ସୃଷ୍ଟି ହୋଇପାରିବ । ଭଡାଦୃଷ୍ଟିରୁ ଭୁବନେଶ୍ୱର ଭଳି ଅନ୍ୟ ବଡ ସହର କଥା ଯଦି ଧରିବା ତେବେ,
– ଏଠାକାର ପ୍ରାଇମ ଲୋକେସନରେ ଜମି କିଣି ଘର କରିବା ବ୍ୟୟସାପେକ୍ଷ
– ତାହା ଠାରୁ ଅଧିକ ଚିନ୍ତାଜନକ ଭଡାଟିଆଙ୍କୁ ରଖିବା
ପ୍ରାଇମ ଲୋକେସନକୁ ଏଥିପାଇଁ ଗୁରୁତ୍ୱ ଦେଉଛୁ କାରଣ, ଡିମାଣ୍ଡ ଥିବାରୁ ଏହି ସ୍ଥାନରେ ଘରଭଡା ବେଶ ଅଧିକ ରହିଥାଏ । ଅନ୍ୟପଟେ ବ୍ୟବସାୟିକ ଭଡାଟିଆ ରହିବା ଓ ଛାଡିବା ବେଳେ ଅନେକ ଆଇନଗତ ସମସ୍ୟା ଦେଖାଦେଇଥାଏ । ଏସବୁ ଭିତରେ ଯେଉଁ ପ୍ରାଇମ ଲୋକେସନରେ ଭଡା ଅଧିକ ଥାଏ ସେଭଳି ସ୍ଥାନରେ ଜାଗା କିମ୍ବା ଘର କିଣିବାକୁ ପର୍ଯ୍ୟାପ୍ତ ଫଣ୍ଡ ଆମ ପାଖରେ ନଥାଏ । ଏହାସତ୍ତ୍ୱେ ମଧ୍ୟ ମାତ୍ର କେଇ ଶହ ଟଙ୍କାରେ ଏଭଳି ପ୍ରାଇମ ଲୋକସନରେ ଦାମୀ ଘରର ଅଂଶୀଦାର ହେବାକୁ ସୁଯୋଗ ଦେଉଛି ଆରଇଆଇଟି (REIT) ।
ଆରଇଆଇଟି ହେଉଛି ରିୟଲ ଇଷ୍ଟେଟ ଇନଭେଷ୍ଟମେଣ୍ଟ ଟ୍ରଷ୍ଟ । ଏହା ମ୍ୟୁଚୁଆଲ ଫଣ୍ଡ ଭଳି କାମ କରେ । ମ୍ୟୁଚୁଆଲ ଫଣ୍ଡରେ ଆପଣଙ୍କ ସ୍ୱଳ୍ପ ଟଙ୍କାକୁ ବିକ୍ରେନ୍ଦୀକରଣ କରି ବିଭିନ୍ନ ସେକ୍ଟରରେ ନିବେଶ କରାଯାଏ । ଏବଂ ଏଥିପାଇଁ ବିଶେଷ ରିସର୍ଚ୍ଚ କରିବାକୁ ପଡିନଥାଏ । ମ୍ୟୁଚୁଆଲ ଫଣ୍ଡ ଯେପରି ହଜାର ହଜାର ଲୋକଙ୍କ ଠାରୁ ଟଙ୍କା ସଂଗ୍ରହ କରିଥାଏ ଏବଂ ଏହାକୁ ଏକ୍ସପର୍ଟ ଫଣ୍ଡ ମ୍ୟାନେଜର ଭଲ ସେୟାରରେ ନିବେଶ କରିଥାନ୍ତି । ପ୍ରତିବଦଳରେ ନିବେଶକାରୀଙ୍କୁ ୟୁନିଟ୍ ମିଳିଥାଏ । ସେୟାରରୁ ଯେଉଁ ଲାଭ ମିଳିଥାଏ ତାହା ୟୁନିଟର ମୂଲ୍ୟକୁ ବୃଦ୍ଧି କରିଥାଏ । ସେହି ୟୁନିଟକୁ ସେୟାର ବଜାରରେ ବିକି ଲାଭାନିତ୍ୱ ହୋଇଥାନ୍ତି ନିବେଶକାରୀ । ଠିକ୍ ସେହିଭଳି ବ୍ୟକ୍ତିଗତ ଭାବେ ପ୍ରାଇମ ଲୋକସେନରେ ଜାଗା ଚାହୁଁଥିଲେ, ଏହାର ଦର ଏଥିରେ ବାଧକ ସାଜିଥାଏ । କିନ୍ତୁ ଆରଇଆଇଟି ମ୍ୟୁଚୁଲାଣ୍ଡ ଫଣ୍ଡ ଭଳି ଅନେକ ନିବେଶକାରୀଙ୍କ ଠାରୁ ଅଳ୍ପ ଅଳ୍ପ ଟଙ୍କା ସଂଗ୍ରହ କରି ଏହାକୁ ସହଜ କରିଥାଏ । ପ୍ରତିବଦଳରେ ନିବେଶକାରୀଙ୍କୁ ଅଂଶୀଦାର ଭାବେ ମିଳିଥାଏ ୟୁନିଟ୍ । ଆରଇଆଇଟିର ଫଣ୍ଡ ମ୍ୟାନେଜର ଏହି ଟଙ୍କାକୁ ବିଭିନ୍ନ ପ୍ରାଇମ ଲୋକେସନରେ ବିଲ୍ଡିଂ କିଣିବା ସହ ଏହାକୁ ଭଡ଼ାସୂତ୍ରରେ ଲଗାଇଥାନ୍ତି । ନିବେଶକାରୀଙ୍କୁ ଏଥିରେ କେବଳ ଟଙ୍କା ନିବେଶ କରିବାକୁ ପଡିଥାଏ । କେଉଁଠି ବିଲ୍ଡିଂ କିଣାଯିବ, କାହାକୁ ଭଡା ଦିଆଯିବ, ବିଲ୍ଡିଂର ମେଣ୍ଟେନାସ, ଆଇନଗତ ଦିଗ ଏ ସମସ୍ତ କଥା ଫଣ୍ଡ ମ୍ୟାନେଜର ବୁଝିଥାନ୍ତି । ପ୍ରାଇମ ଲୋକେସନରେ ଥିବାରୁ ଭଡାରୁ ମିଳୁଥିବା ଲାଭକୁ ନିବେଶକାରୀଙ୍କ ମଧ୍ୟରୁ ବାଣ୍ଟି ଦିଆଯାଇଥାଏ ଏବଂ ସମୟ ବିତିବା ସହ ବିଲ୍ଡିଂର ମୂଲ୍ୟ ବଢିଲେ ନିବେଶକାରୀଙ୍କୁ ମିଳିଥିବା ୟୁନିଟ୍ ପ୍ରାଇସ ମଧ୍ୟ ବଢିଥାଏ । ଯାହାକୁ ଆରଇଆଇଟି ନିବେଶ ବୋଲି କୁହାଯାଏ ।
ପର୍ସନାଲ ବିଲ୍ଡିଂ ନା ଆରଇଆଇଟିରେ ନିବେଶ !
ବ୍ୟକ୍ତିଗତ ଭାବେ କୌଣସି ଜମି କିମ୍ବା ବିଲ୍ଡିଂ କିଣିଲେ ଏହାର ସଂଖ୍ୟା ସୀମିତ ରହିଥାଏ । ତାଛଡା ପ୍ରାଇମ ଲୋକସେନରେ ଜାଗା ମିଳିବା ସହଜ ହୋଇନଥାଏ । କିନ୍ତୁ ଆରଇଆଇଟିରେ ନିବେଶ, ବିଭିନ୍ନ ସହରର ପ୍ରାଇମ ଲୋକେସନରେ କିଣାଯାଇଥିବା ବିଲ୍ଡିଂରେ ଆପଣଙ୍କୁ ଅଂଶୀଦାର କରିଥାଏ । ଯାହା ବ୍ୟକ୍ତିଗତସ୍ତରରେ ସମ୍ଭବପର ନୁହେଁ । ଏହାଛଡା ବ୍ୟକ୍ତିଗତ ଭାବେ ଜମି କିମ୍ବା ବିଲ୍ଡିଂ କିଣୁଥିଲେ, ଅନେକ ପ୍ରକାର ଆଇନଗତ ପ୍ରକ୍ରିୟାକୁ ସାମ୍ନା କରିବା ସହ ସମୟ ଦେବାକୁ ପଡିଥାଏ । କିନ୍ତୁ ଆରଇଆଇଟିରେ ସମସ୍ତ ଆଇନଗତ ପ୍ରକ୍ରିୟା ଟ୍ରଷ୍ଟ ଦାୟିତ୍ୱରେ ଥିବା ମ୍ୟାନେଜର ଓ ଟିମ୍ ବୁଝିଥାନ୍ତି । ସବୁଠୁ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଗତ ବିଲ୍ଡିଂ କିଣି ଅତି ଜରୁରୀ ସମୟରେ ବିକ୍ରିି କରିବାକୁ ଚାହିଁଲେ ହଠାତ୍ କ୍ରେତା ମିଳନ୍ତି ନାହିଁ । ତେଣୁ ଯିଏ ବି କ୍ରେତା ମିଳନ୍ତି ସେମାନେ ନେଗୋସିଏସନ କରିବା ଆରମ୍ଭ କରନ୍ତି । କିନ୍ତୁ ‘ଆରଇଆଇଟି’ କ୍ଷେତ୍ରରେ ଜରୁରୀ ସମୟରେ ଟଙ୍କା ଆବଶ୍ୟକ ଥିଲେ ମିଳିଥିବା ୟୁନିଟକୁ ବିକି ମାତ୍ର ଗୋଟିଏରୁ ୨ ଦିନ ମଧ୍ୟରେ ଟଙ୍କା ପାଇପାରିବେ ।
କାହିଁକି ଭଲ ଆରଇଆଇଟି?
ସେୟାର ମାର୍କେଟରେ ରିୟଲ ଇଷ୍ଟେଟ କମ୍ପାନିର ଶହ ଶହ ସେୟାର ରହିଛି । ଯେଉଁଥିରେ ଜଣେ ବେଶ ସହଜରେ ନିବେଶ କରିପାରିବ । କିନ୍ତୁ ନିର୍ଦ୍ଦିଷ୍ଟ ରିୟଲ ଇଷ୍ଟେଟ କମ୍ପାନିରେ ନିବେଶ କରିବା ଦ୍ୱାରା ଆପଣଙ୍କ ଟଙ୍କା ସେହି କମ୍ପାନି ଭିତରେ ହିଁ ସୀମିତ ରହିଯିବ । ତାଛଡା କମ୍ପାନିର ମ୍ୟାନେଜମେଣ୍ଟ ନିଷ୍ପତ୍ତି ଉପରେ ଆପଣଙ୍କର ଲାଭ ଓ କ୍ଷତି ନିର୍ଭର କରିବ । ନିବେଶ ଟଙ୍କାରେ ନିର୍ଦ୍ଦିଷ୍ଟ ରିୟଲ ଇଷ୍ଟେଟ କମ୍ପାନି କମର୍ସିଆଲ ପ୍ରପର୍ଟି, ନା ରେସିଡେନ୍ସିଆଲ ପ୍ରପର୍ଟି, ନା ଖାଲି ଜମି କିଣି ଫାଙ୍କା ଛାଡୁଛି ତାହାର ଟେର ପାଇବା ମୁସ୍କିଲ । ତେଣୁ ନିର୍ଦ୍ଦିଷ୍ଟ କମ୍ପାନିର ସେୟାର ନେବା ଦ୍ୱାରା ଏକଜିକ୍ୟୁସନ ରିସ୍କ ବଢିଥାଏ । କିନ୍ତୁ ଆରଇଆଇଟି ନିବେଶ ପାଇଁ ସେବିର କିଛି ନିୟମ ନିବେଶକାରୀଙ୍କ ପାଇଁ ଆଶୀର୍ବାଦ ପାଲଟିଛି ।
– ଆରଇଆଇଟିକୁ ଡିପୋଜିଟର ୮୦% ଅର୍ଥ ବ୍ୟବସାୟିକ କ୍ଷେତ୍ରରେ ନିବେଶ କରିବାକୁ ହୋଇଥାଏ
– ହୋଟେଲ, ମଲ, ହସ୍ପିଟାଲ, ବ୍ୟାଙ୍କ ଭଳି ବଡ ବଡ ବ୍ୟବସାୟିକ କ୍ଷେତ୍ରକୁ ବାଛିଥାଏ ‘ଆରଇଆଇଟି’, ଯେଉଁଠୁ ଭଡା ଅର୍ଥ ଅଧିକ ମିଳିବ
– ରେଡିମେଡ ତଥା ପ୍ରଥମ ଦିନରୁ ଭଡା ଆସିପାରୁଥିବା ସମ୍ପତ୍ତି ଉପରେ ନିବେଶ କରିଥାଏ ଆରଇଆଇଟି
– ଯାହାଦ୍ୱାରା ବିଭିନ୍ନ ଆଇନଗତ ସମସ୍ୟା, ବିଲ୍ଡିଂ ପାଇଁ ସରକାରୀ ଅନୁମତିର ସମ୍ମୁଖୀନ ହେବାକୁ ପଡିନଥାଏ
– ଆରଇଆଇଟିର ଲାଭାଂଶର ୯୦ ପ୍ରତିଶତ ୟୁନିଟ୍ ହୋଲଡରଙ୍କୁ ବାଣ୍ଟିବାକୁ ପଡିଥାଏ
– ନିୟମ ଅନୁଯାୟୀ, ବର୍ଷକୁ ସର୍ବନିମ୍ନ ୨ ଥର ଭଡା ଲାଭାଂଶ ମିଳିଥାଏ
– ଆରଇଆଇଟି କିଣିଥିବା ସମ୍ପତ୍ତିର ମୂଲ୍ୟ ବଢିଲେ ନିବେଶକାରୀଙ୍କୁ ମିଳିଥିବା ୟୁନିଟର ମୂଲ୍ୟ ବଢିଥାଏ
– ମୋଟାମୋଟି ଭାବେ ନିବେଶରୁ ବାର୍ଷିକ ୧୨ରୁ ୧୪% ଲାଭ ପାଇପାରିବେ ନିବେଶକାରୀ
– ଫିକ୍ସ ଡିପୋଜିଟ୍ ଠାରୁ ଭଲ ରିଟର୍ଣ୍ଣ ପାଇପାରନ୍ତି ନିବେଶକାରୀ
ଏବେ ଦେଶରେ ସେବି ପଞ୍ଜିକୃତ ୪ଟି ‘ଆରଇଆଇଟି’ ରହିଛି । ରିୟଲ ଇଷ୍ଟେରରେ ନିବେଶ କ୍ଷେତ୍ରରେ ‘ଆରଇଆଇଟି’ ଆଗକୁ ଭାରତୀୟ ବଜାର ପାଇଁ ନୂଆ ସମ୍ଭାବନା ସାଜି ଉଭା ହୋଇଛି । ତେବେ କେଉଁ ‘ଆରଇଆଇଟି’ ବାଛିବେ ତାହା ନିବେଶକାରୀଙ୍କ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ।
କେଉଁ ‘ଆରଇଆଇଟି’ରୁ ମିଳିବ ଅଧିକ ଲାଭ?
– ‘ଆରଇଆଇଟି’ରେ ନିବେଶ ପୂର୍ବରୁ ପୋର୍ଟଫୋଲିଓ ଯାଞ୍ଚ କରନ୍ତୁ
– ପ୍ରାଇମ ଲୋକେସନରେ କେଉଁ ‘ଆରଇଆଇଟି’ର ସମ୍ପତ୍ତି ଅଛି ଜାଣିବା ଜରୁରୀ
– ଦେଶର କେଉଁ କେଉଁ ସହରକୁ ‘ଆରଇଆଇଟି’ର ସମ୍ପତ୍ତି ପରିବ୍ୟାପ୍ତ ତାହା ଜାଣିବା ଅତି ଆବଶ୍ୟକ
– କିଣାଯାଇଥିବା ସମ୍ପତ୍ତିର ଅକ୍ୟୁପାନ୍ସି କଣ ରହୁଛି, ଅଥାର୍ତ ବିଲ୍ଡିଂ କାହାକୁ ଭଡାରେ ଦିଆଯାଇଛି ଏବଂ କେତେ ପ୍ରତିଶତ ସମ୍ପତ୍ତି ଭଡାରେ ଲାଗିନି
ମନେକରନ୍ତୁ ଆପଣ ନିବେଶ କରିବାକୁ ଭାବୁଥିବା ‘ଆରଇଆଇଟି’ର ବିଲ୍ଡିଂରେ ୧୦୦ ଘର ରହିଛି । କିନ୍ତୁ ଏଥିରୁ ୬୦ ଘର ଭଡାରେ ଦିଆଯାଇଥିବା ବେଳେ ୪୦ ଘର ଫାଙ୍କା ପଡିଛି । ଏଭଳି ସ୍ଥିତିରେ ଉକ୍ତ ‘ଆରଇଆଇଟି’ରେ ନିବେଶ କରିବା ବେଶ ରିସ୍କି । ଏହାଛଡା ଆପଣ ବାଛୁଥିବା ‘ଆରଇଆଇଟି’ର କ୍ଲାଇଣ୍ଟ କିଏ ତାହା ଜାଣିବା ବେଶ ଜରୁରୀ । ଭଲ ଭଲ କମ୍ପାନି ଯଦି କ୍ଲାଇଣ୍ଟ ଥାଆନ୍ତି ତେବେ ନିଦ୍ୱନ୍ଦ୍ୱର୍ରେ ନିବେଶ କରିପାରିବେ । ତାଛଡା ବିଲ୍ଡିଂରୁ ମିଳୁଥିବା ମୋଟ ଭଡା ଅର୍ଥରେ କେଉଁ କମ୍ପାନିର କେତେ ପ୍ରତିଶତ ଭାଗ ରହିଛି ତାହା ମେଜର ରୋଲ ନିଭାଏଥାଏ । ଧରିନିଅନ୍ତୁ ‘ଆରଇଆଇଟି’ର ବିଲ୍ଡିଂର ୧୦୦ ଘର ମଧ୍ୟରୁ ୭୦ ଘରର ଭଡା ନିର୍ଦ୍ଦିଷ୍ଟ କମ୍ପାନୀରୁ ଆସୁଛି ଏବଂ ବଳକା ୪୦ ଘରର ଭଡା ଭିନ୍ନ ଭିନ୍ନ କମ୍ପାନିରୁ ଆସୁଛି । ଏହା ମଧ୍ୟ ଆପଣଙ୍କୁ ରିସ୍କ ଜୋନକୁ ଟାଣିନେବ । କୌଣସି କାରଣବସତଃ ଯଦି ୬୦ ଘରର ଭଡା ଦେଉଥିବା କମ୍ପାନି ହଠାତ୍ ବିଲ୍ଡିଂ ଛାଡିବାକୁ ନିଷ୍ପତ୍ତି ନିଏ ତେବେ ଏକକାଳୀନ ୬୦ଟି ଘରୁ ଭଡା ଆସିବା ବନ୍ଦ ହୋଇଯିବ । ତେଣୁ ‘ଆରଇଆଇଟି’ରେ ନିବେଶ ବେଳେ କେଉଁ କମ୍ପାନି କେତେ ବର୍ଷ ଭଡା ନେବାକୁ ଆଗ୍ରିମେଣ୍ଟ କରିଛି ଏବଂ ଉକ୍ତ କମ୍ପାନିର ବ୍ୟବସାୟ ଉକ୍ତ ଅଞ୍ଚଳରେ କେମିତି ଚାଲିଛି ସେ ବାବଦରେ କିଛିଟା ରିସର୍ଚ୍ଚ କରିବାର ଆବଶ୍ୟକତା ରହିଛି । ଯାହାଦ୍ୱାରା ‘ଆରଇଆଇଟି’ରେ ନିବେଶକୁ ଆପଣ ଆହୁରି ସୁରକ୍ଷିତ କରିପାରିବେ ।

