ଭଡାରେ ରହିଲେ ରହିବେ ଚିନ୍ତାମୁକ୍ତ
ଅବସର ପରେ କେମିତି ଦେବେ ଘରଭଡା ?
ଘର କିଣିଲେ କମ ଖର୍ଚ୍ଚ
ଘର କିଣିଲେ ଖର୍ଚ୍ଚରେ କରିବାକୁ ପଡିବ ଆଡଜଷ୍ଟ
ଓଡ଼ି ନେଷ୍ଟ : ଘର । ସମସ୍ତଙ୍କର ଏକ ଆବେଗ, ଏକ ଆବଶ୍ୟକତା । ଘର ଏକ ସ୍ଥାୟୀତ୍ୱର ପରିଚୟ । ମୁଣ୍ଡକୁ ଛାତ ଓ ପେଟକୁ ଭାତ ଥିଲେ ସାଧାରଣତଃ ଆଉ କିଛି ଚିନ୍ତା ନଥାଏ । ବାର୍ଦ୍ଧକ୍ୟ ବୟସରେ ସେଇ ଘର ଖଣ୍ଡିକ ହିଁ ଜୀବନର ଆଶାବାଡି ପାଲଟିଯାଏ । କୁହାଯାଏ ଗୋ ଓ ଭୂମି ଭାଗ୍ୟରେ ଥିଲେ ମିଳେ ହେଲେ ଏ ମହାଙ୍ଗା ଯୁଗରେ ଘର କରିବା ଅବା କିଣିବା ପାଇଁ ଗୋଟେ ମୋଟା ଅଙ୍କର ଅର୍ଥରାଶି ଦରକାର ପଡେ । ଯେଉଁଥିପାଇଁ ଜୀବନର ଅଧା ସଞ୍ଚୟ ଏବଂ ଋଣ ବୋଝ ମଧ୍ୟ ବୋହିବାକୁ ପଡିଥାଏ । ଏପଟେ ଦିନକୁ ଦିନ ଭଡାଘରର ଚାହିଦା ମଧ୍ୟ ବଢିବାରେ ଲାଗିଛି । ରହିବାକୁ କମ ବ୍ୟୟ କରି ଜୀବନକୁ ଉପଭୋଗ କରିବାକୁ ଲୋକେ ଭଡାଘରେ ରହିବାକୁ ପସନ୍ଦ କରୁଛନ୍ତି । ଚାକିରିରେ ବାରମ୍ବାର ବଦଳି ପାଇଁ ବି ଲୋକେ ଭଡାଘରକୁ ବାଛୁଛନ୍ତି । ଏତେ କଥା ପରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠିବା ସ୍ୱାଭାବିକ । ବାସ୍ତବରେ ଆମ ପାଇଁ ଭଲ କେଉଁଟା । ଭଡାଘର ନା ନିଜଘର । ଏସବୁ ଜାଣିବାକୁ ଆପଣଙ୍କୁ ପୂରା ଖବରଟି ପଢିବାକୁ ପଡିବ । ଆସନ୍ତୁ ଉଦାହରଣ ସହ ହିସାବନିକାଶ କରି ଭଡାଘର ଓ ନିଜ ଘର ମଧ୍ୟରେ ସରଳ ଭାବେ ପାର୍ଥକ୍ୟ ଜାଣିବା
ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ ରହନ୍ତି ୨୫ ବର୍ଷୀୟ ମଧୁସୁଦନ ମହାନ୍ତି । ବେସରକାରୀ ଚାକିରି ଖଣ୍ଡେ କରିଛନ୍ତି । ଦରମା ମାସକୁ ପାଖାପାଖି ୭୦ ହଜାର ଟଙ୍କା । ତାଙ୍କ ଅବସର ବୟସ ହେଲା ୫୮ ବର୍ଷ । ଅବସର ନେବା ଯାଏଁ ଇନକ୍ରିମେଣ୍ଟ ବାବଦକୁ ପ୍ରତିବର୍ଷ ଦରମାର ପ୍ରାୟ ୫ ପ୍ରତିଶତ ବଢିପାରେ । ଅର୍ଥାତ ଆସନ୍ତା ୩୩ ବର୍ଷ ଯାଏଁ ପ୍ରତିବର୍ଷ ତାଙ୍କ ଦରମା ୫ ପ୍ରତିଶତ ଲେଖାଏଁ ବଢିବ । ଆସନ୍ତୁ ଏକ ହିସାବ କରିବା ମଧୁସୁଦନ ଭଡାଘରେ ରହିଲେ କଣ ଲାଭ ଆଉ ନିଜେ ଘର କିଣି ରହିଲେ କଣ ଲାଭ ।
ଭଡାଘର
ମଧୁସୁଦନ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏକ ଟୁ ବିଏଚକେ ଆପାର୍ଟମେଣ୍ଟରେ ଭଡା ରହୁଛନ୍ତି । ଯାହାର ରେଣ୍ଟ ୨୦ ହଜାର ଟଙ୍କା । ସେ ଏବେ ଅବିବାହିତ ରହିଛନ୍ତି । ଆସନ୍ତା ୧୦ ବର୍ଷ ପରେ ତାଙ୍କର ବିବାହ ହୋଇଯାଇଥିବ । ଏବଂ ସେ ଏକ ଥ୍ରୀ ବିଏଚକେ ଆପାର୍ଟମେଣ୍ଟକୁ ଭଡାରେ ନେଇପାରନ୍ତି । ସମାନ ଅଞ୍ଚଳରେ ଥ୍ରୀ ବିଏଚକେ ଆପାର୍ଟମେଣ୍ଟର ଭଡା ୩୦ ହଜାର ଟଙ୍କା । ପ୍ରତି ବର୍ଷ ମଧ୍ୟ ଘର ମାଲିକ ପ୍ରାୟ ୫ ପ୍ରତିଶତ ଘର ଭଡା ବଢାଇଥାନ୍ତି । ସେହି ଅନୁସାରେ ହିସାବ କଲେ…

ମଧୁସୁଦନ ବାବୁ ଭଡାରେ ରହିଲେ ଆଗାମୀ ୩୩ ବର୍ଷ ଯାଏ ନିଜ ଦରମାର ୩୦ରୁ ୪୦ ପ୍ରତିଶତ ଭଡାରେ ଖର୍ଚ୍ଚ କରିବେ । ବାକି ୬୦-୭୦ ପ୍ରତିଶତ ଟଙ୍କା ନିଜ ଖର୍ଚ୍ଚ କରିପାରିବେ । ଅର୍ଥାକ ଘରଭଡାକୁ ବାଦ ଦେଇ ସେ ଏକ ଚିନ୍ତାମୁକ୍ତ ଜୀବନ ବିତାଇପାରିବେ । କିନ୍ତୁ ଅବସର ବେଳକୁ ତାଙ୍କ ପାଖରେ କୌଣସି ଘର ନଥିବ । ଏବେ ଆସନ୍ତୁ ନଜର ପକାଇବା ଘର କିଣିଲେ ମଧୁସୁଦନ ବାବୁଙ୍କୁ କେତେ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।
ଘର କିଣିଲେ:
ଘର କିଣିବାକୁ ପ୍ରଥମେ ପାଖରେ କିଛି ମୂଳପୁଞ୍ଜି ରହିବା ଦରକାର । ଯାହାକି ଡାଉନପେମେଣ୍ଟ ହିସାବରେ ଦାଖଲ କରାଯାଏ । ବାକି ଟଙ୍କା ହୋମ ଲୋନ ହିସାବରେ ନେଇହେବ । ତେବେ ମଧୁସୁଦନ ଘର କିଣିବାକୁ ହେଲେ ପ୍ରଥମ ଡାଉନପେମେଣ୍ଟ ଯୋଗାଡ କରିବେ । ଏଥିପାଇଁ ତାଙ୍କୁ ପ୍ରଥମ ତିନି ବର୍ଷ ଅର୍ଥାତ ୨୫ରୁ ୨୮ ବର୍ଷ ହେବା ଯାଏଁ ମାସିକ ୨୫ ହଜାର ଟଙ୍କା ସେଭିଂ କରିବାକୁ ହେବ । ୩ ବର୍ଷ ପରେ ତାଙ୍କ ପାଖକୁ ୧୦ ଲକ୍ଷ ଟଙ୍କାର ଏକ ମୂଳପୁଞ୍ଜି ଆସିଯିବ ।
ଘର କିଣିବାକୁ ହୋମ୍ ଲୋନ:
ଯଦି ବାର୍ଷିକ ପ୍ରତିଶତ ଲେଖାଏଁ ଇନକ୍ରିମେଣ୍ଟ ହୁଏ ତେବେ ୨୮ ବର୍ଷ ହେବାବେଳେକୁ ମଧୁସୁଦନଙ୍କ ଦରମା ୮୦ ହଜାର ଟଙ୍କା ହୋଇଯାଇଥିବ । ଏବେ ସେ ୪୨ ଲକ୍ଷ ଟଙ୍କାର ହୋମ ଲୋନ କରିପାରିବେ । ଯାହାର ଅବଧି ୨୦ ବର୍ଷ ହୋଇଥିବାବେଳେ ସୁଧହାର ରହିବ ୮ ପ୍ରତିଶତ । ମଧୁସୁଦନ ରହୁଥିବା ଅଞ୍ଚଳରେ ଏକ ଟୁ ବିଏଚକେ ଆପାର୍ଟମେଣ୍ଟର ଦାମ ପ୍ରାୟ ୮୦ରୁ ୯୦ ଲକ୍ଷ ଟଙ୍କା । ଏଥିପାଇଁ ୨୦ ଲକ୍ଷ ଟଙ୍କାର ଡାଉନପେମେଣ୍ଟ ସହ ଅବଶିଷ୍ଟ ୫୫-୬୫ ଲକ୍ଷ ଟଙ୍କା ହୋମଲୋନ କରିବାକୁ ହେବ । ଯାହାକି ମଧୁସୁଦନ ବାବୁଙ୍କ ବଜେଟ ବାହାରେ । ଏଣୁ ସେ ଚନ୍ଦ୍ରଶେଖରପୁରକୁ ଛାଡି କଳିଙ୍ଗ ନଗର ଅଞ୍ଚଳରେ ଘର ଦେଖିବେ । ସେଠାରେ ଟୁ ବିଏଚକେ ଆପାର୍ଟମେଣ୍ଟର ଦାମ ପ୍ରାୟ ୪୦-୫୦ ଲକ୍ଷ ଟଙ୍କା । ଏଥିପାଇଁ ୩୮ ଲକ୍ଷ ଟଙ୍କାର ଲୋନ କରିବେ । ଏବଂ ୨୦ ବର୍ଷ ଯାଏଁ ମାସିକ ୩୨ ହଜାର ଟଙ୍କା ଇଏମଆଇ ଦାଖଲ କରିବେ । ଏବେ ଆସନ୍ତୁ ହିସାବ କରିବା ଘର କିଣିବା ପରେ ମଧୁସୁଦନଙ୍କ ଖର୍ଚ୍ଚ କେତେ ହେଉଛି…

୨୦ ବର୍ଷରେ ନିଜ ଦରମାର ୨୨-୫୫ ପ୍ରତିଶତ ଟଙ୍କା ଇଏମଆଇ ଭରିବାରେ ଖର୍ଚ୍ଚ କରିବେ ମଧୁସୁଦନ । ଅର୍ଥାତ ଅନ୍ୟ ଖର୍ଚ୍ଚ ତାଙ୍କୁ କାଟ କରିବାକୁ ପଡିବ ଅବା କମ ଟଙ୍କାରେ ଚଳିବାକୁ ହେବ । କିନ୍ତୁ ପ୍ରତିବର୍ଷ ଦରମା ବଢିବା ସାଙ୍ଗକୁ ତାଙ୍କ ଇଏମଆଇ ବୋଝ ମଧ୍ୟ କମିଚାଲିବ । ତେବେ ଅଫିସଠାରୁ ଦୂରରେ ଘର ନେବା ହେତୁ ତାଙ୍କର ସମୟ ଓ ଯିବାଆସିବା ଖର୍ଚ୍ଚ ମଧ୍ୟ ବଢିଯିବ ।
ଭଡା ଓ ନିଜ ଘର ଭିତରେ ଫରକ
୩୩ ବର୍ଷ ଧରି ମଧୁସୁଦନ ଘର ଭଡା ନେଲେ ଦରମାର ୩୦-୪୦ ପ୍ରତିଶତ ଘରଭଡା ଦେବେ । ଚାକିରିରୁ ଅବସର ନେବାପରେ ବି ତାଙ୍କର ଘରଟିଏ ନଥିବ । ଅର୍ଥାତ ଚାକିରିରୁ ଅବସର ପରେ ବି ସେ ଭଡାରେ ରହିବେ । ଅବସର ପରେ ଦରମା ଅଧାହୋଇଯାଇଥିଲେ ବି ତାଙ୍କୁ ସମାନ ଘରଭଡା ଦେବାକୁ ପଡିବ । ଏଣୁ ସେହି ସମୟରେ ଏହା ବୋଝ ପାଲଟିଯିବ । ବାର୍ଦ୍ଧକ୍ୟ ସମୟରେ ସବୁ ସଞ୍ଚୟ ଘର ଭଡାରେ ହିଁ ଚାଲିଯିବ ।
ଯଦି ସେ ଘରଟିଏ କିଣୁଛନ୍ତି ତେବେ ୪୮ ବର୍ଷ ପର୍ଯ୍ୟନ୍ତ ମାସିକ ୩୨ ହଜାର ଟଙ୍କା ଲେଖାଏଁ ଇଏମଆଇ ପ୍ରଦାନ କରିବେ । ୪୮ ବର୍ଷ ପରେ ଘର ତାଙ୍କର ହୋଇସାରିଥିବା ବେଳେ ଆଉ କୌଣସି ଖର୍ଚ୍ଚ କରିବାକୁ ପଡିବ ନାହିଁ । ଏଣୁ ଏହାପରେ ସେ ପରିବାର ପିଛା ଅଧିକ ଖର୍ଚ୍ଚ କରିପାରିବେ । କାର ଏବଂ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ କିଣିପାରିବେ । ଅବସର ପରେ ଘର ଚିନ୍ତା ମଧ୍ୟ ନଥିବ ।
ଘର କଣିବାର ଲାଭ:
ଆଉ ଭଡା ଦେବାକୁ ପଡିବନି
ନିଜ ଘରକୁ ଆପଣଙ୍କ ଇଚ୍ଛାନୁସାରେ ସଜେଇବେ
ଘର ମାଲିକଙ୍କର କୌଣସି କଟକଣା କି ନିର୍ଦ୍ଦେଶ ନଥିବ
ଆପଣ ଘରକୁ ଭଡାରେ ମଧ୍ୟ ଲଗାଇପାରିବେ
ଆବଶ୍ୟକ ବେଳେ ଘରକୁ ବନ୍ଧା କିମ୍ବା ବିକ୍ରି କରିପାରିବେ
ଭଡାଘରର ଲାଭ:
ଇଏମଆଇ ବୋଝ ରହିବନି
ଜୀବନ ବିତାଇବାକୁ ଅଧିକ ଖର୍ଚ୍ଚ କରିପାରିବେ
ଚାକିରିରେ ବଦଳି ହେଲେ ଅସୁବିଧା ନାହିଁ
ଆପଣ କଣ କରିବେ ?
ଭଡାଘର ଓ ନିଜ ଘର କିଣିଲେ କେତେ ଟଙ୍କା ଖର୍ଚ୍ଚ ହେବ, ଆପଣଙ୍କ ଜୀବନ ଶୈଳୀ କେମିତି ହେବ ସେ ସମ୍ପର୍କରେ ଆମେ ସବିଶେଷ ସୂଚନା ପ୍ରଦାନ କରିଛୁ । ଏବେ ଆପଣ ନିଷ୍ପତ୍ତି ନିଅନ୍ତୁ ଆପଣ ଭଡାଘରେ ରହିବେ ନା ନିଜ ପାଇଁ ଘର କିଣିବେ ।

