ବେଶ୍ କିଛି ଦିନ ହେବ ସୋସିଆଲ ମିଡିଆରେ ଏକ ନୂଆ ଟ୍ରେଣ୍ଡ୍- OD NEST ଆସୁଛି। ରିୟଲ ଇଷ୍ଟେଟର ରିୟଲ ଖବର ଧରି OD NEST ଆାସୁଛି। ଲଗାତର ଗୋଟିକ ପରେ ଗୋଟିଏ ପ୍ରୋମୋ ଚାଲିଛି। ଓଡ଼ିଶା ସାମ୍ବାଦିକତାରେ ଏକ ନୂଆ ଧାରା ବହିବା ଆରମ୍ଭ କରିଛି। ଅବଶ୍ୟ ଏସବୁ ଗୌରଚନ୍ଦ୍ରିକା ଆମ ଦ୍ବାରା ଚାଲିଛି। ହେଲେ କାହିଁକି ରିୟଲ ଇଷ୍ଟେଟ୍ ସାମ୍ବାଦିକତା, କାହିଁକି OD NEST ଭଳି ଏକ ମିଡିଆ ହାଉସର ଏ ପରିକଳ୍ପନା। ପବିତ୍ର ଶ୍ରୀଗଣେଶ ପୂଜାରେ OD NEST ର ଶ୍ରୀଗଣେଶ କରିବା ଅବସରରେ ସେ ବିଷୟରେ ସ୍ପଷ୍ଟ କରିବାର ଆବଶ୍ୟକତା ଅନୁଭବରେ ଏକ ଲେଖା।
ଓଡ଼ିଶା, ଏବେ ବିକାଶର କେନ୍ଦ୍ରସ୍ଥଳ ପାଲଟୁଛି । ରୂପାନ୍ତରଣର ଋତୁରେ ଏ ବିକାଶ ବଟବୃକ୍ଷରେ ଏବେ ଢେର ସାରା ନୂଆ ପତ୍ର, ଫୁଲ, ଫଳ। ନିର୍ମାଣର ନୂଆ ଯୁଗ। ବିନ୍ଦୁରୁ ସିନ୍ଧୁ ପରି, ଗୋଟିଏ ଗୋଟିଏ ସହରରୁ ବିକାଶର ଯାତ୍ରା ସାରା ରାଜ୍ୟରେ ହେଉଛି । ହେଲେ ଏ ଧାରାରେ ସାଧାରଣ ମଣିଷଟି ନିର୍ବାଧାରେ, ନିର୍ଦ୍ବନ୍ଦ୍ବରେ କେତେ ସାମିଲ ହୋଇ ପାରୁଛି ? ତା ପାଇଁ କେତେ ସୁଯୋଗ ଅଛି ? ଜୀବନର ତମାମ ଜମାପୁଞ୍ଜି ଖଟାଇ ସହରରେ ସ୍ବପ୍ନର ଘରଟିଏ ତୋଳିବାର ଲକ୍ଷ୍ୟ ରଖିଥିବା ସାଧାରଣ ଲୋକଟି ପାଇଁ ଏସବୁ ସହଜଲବ୍ଧ ତ ? ନୂଆ ନିର୍ମାଣର ହାଲୋଳି ଭିତରେ ସହରରେ ଆର୍ଥିକ ଅନଗ୍ରସର ବର୍ଗଙ୍କ ବ୍ୟବସ୍ଥିତ, ସୁଲଭ ବାସସ୍ଥଳୀଟିଏ ପାଇଁ କେତେ ଚିନ୍ତିତ ଆମ ବ୍ୟବସ୍ଥା ? କିଛି ଠକ ରିୟଲ ଇଷ୍ଟେଟ୍ ସଂସ୍ଥାଙ୍କ ପାଇଁ ଲୁଟି ହେଇ ଚାଲିଥିବା, ସେମାନଙ୍କ ଚକ୍ରବ୍ୟୂହରେ ପେଶି ହେଇ ଚାଲିଥିବା, ଅଶାନ୍ତିରେ ଜୀଉଁଥିବା ଲୋକଙ୍କ ସ୍ବାର୍ଥରକ୍ଷା ପାଇଁ ଆମ ବ୍ୟବସ୍ଥାରେ ଅଛି ତ ପର୍ଯ୍ୟାପ୍ତ ସୁଯୋଗ ? ଅଧିକାଂଶଙ୍କ ଅନୁଭବ ଏ କ୍ଷେତ୍ରରେ ନକରାତ୍ମକ, ତିକ୍ତ ନିଶ୍ଚିତ। ତେଣୁ ଏସବୁଥିରେ ଧନ୍ଦି ହେଉଥିବା ଲୋକଙ୍କ ସ୍ବର ସାଜି, ସେମାନଙ୍କ ଲଢ଼େଇକୁ ବଳ ଦେବାକୁ ରାଜ୍ୟରେ ଏକ ଉତ୍ସର୍ଗୀକୃତ ମିଡିଆ ହାଉସର ଅଭାବରୁ OD NEST ର ଜନ୍ମ।
ବ୍ରେକିଂ ନ୍ୟୁଜ୍, ଏକ୍ସକ୍ଲ୍ୟୁସିଭ୍, ଫାଷ୍ଟ ଭିଜୁଆଲ, ପ୍ୟାକେଜ, ଏଭିଓ ବାଇଟ୍… ଅପରାଧରୁ ଅର୍ଥନୀତି, ରୋଚକ ଖବରରୁ ରାଜନୀତି । ଧାଁଦୌଡ ଭରା ଏମିତି ଖବରର ଭିଡ଼ ଭିତରେ ଥିବା ବର୍ତ୍ତମାନର ରାଜ୍ୟ ଗଣମାଧ୍ୟମରେ ରିୟଲ ଇଷ୍ଟେଟ୍ ସଂପର୍କିତ ଖବରକୁ ଗୁରୁତ୍ବର ସହ ଦେଖିବାର ଧାରା ଆରମ୍ଭର କଳ୍ପନାରୁ OD NESTର ସୃଷ୍ଟି। …
ନିର୍ମାଣ କ୍ଷେତ୍ରରେ ବିଶ୍ବବ୍ୟାପୀ ବହୁଥିବା ବିକାଶ ପର୍ବର ଧାରାରେ ରାଜଧାନୀ ସହର ଭୁବନେଶ୍ବରଠୁ ନେଇ ରାଜ୍ୟର ସବୁ ସହର ଯେ ସୁବ୍ୟବସ୍ଥିତ, ସୁନିୟୋଜିତ ଢଙ୍ଗରେ ସାମିଲ ହେଉ। ସେ ସଦିଚ୍ଛାରେ ନୂଆ ଉନ୍ମେଶର ବାର୍ତ୍ତାବହ ସାଜିବା ନେଇ ଉଦ୍ୟମର ଫଳଶ୍ରୁତି OD NEST।
ଗତାନୁଗତିକତାର ଶଗଡ଼ଗୁଳାରୁ ବାହାରି ଯଥାଶୀଘ୍ର ପରିବର୍ତ୍ତନକୁ ସାଙ୍ଗ କରିବାର ଆଗ୍ରହ ପାଇଁ ହିଁ OD NEST ।
ଏସବୁ ବାଦ୍ ଇଟିଭିରୁ ଓଟିଭି, କନକ ଟିଭିରୁ ନନ୍ଦିଘୋଷ ଟିଭି- ଦୀର୍ଘ ୨୦ ବର୍ଷ କାଳ ଖବରର ନାଡ଼ି ଚିପି, ସମୟର ଆହ୍ବାନକୁ ପରଖିବାର ଯେଉଁ ଅଭିଜ୍ଞତା ଟିକକ ହାସଲ କରିଛି, ତାହା ବି ନୂଆ ସାମ୍ବାଦିକତାର ଏ ଧାରାକୁ ଟାଣିଆଣିବାରେ ମୋତେ ପ୍ରେରିତ କରିଛି। ଅବଶ୍ୟ, ଆଜିକାଲିର ଟିଆରପି ଦୌଡ଼ରେ ଏ ଯାତ୍ରା ଏତେ ସହଜ ନୁହେଁ। ତଥାପି ଆପଣଙ୍କ ସହଯୋଗରେ ସମୟକ୍ରମେ ଏସବୁ ଆହ୍ବାନ ବି ପାଣି ଭଳି ସରଳ, ତରଳ ହୋଇଯିବ ସେ ବିଶ୍ବାସ ଅବଶ୍ୟ ଅଛି।
ଆଶା କରୁଛି ରିୟଲ ଇଷ୍ଟେଟ ସାମ୍ବାଦିକତାକୁ ନେଇ ଆଜିଠୁ ଆରମ୍ଭ ହୋଇଥିବା ଆମର ଏସୁଦୀର୍ଘ ଏବଂ ସ୍ୱପ୍ନାଭିମୁଖୀ ଯାତ୍ରାରେ ଆପଣ ସହଯାତ୍ରୀ ହେବେ ଏବଂ OD NEST – ‘ଠିକଣାର ଠିକଣାକୁ’ ସହଯୋଗର ହାତ ବଢାଇବେ।
ରଙ୍ଗାଧର ପଣ୍ଡା
9439750364

