-ସୁପର ବିଲ୍ଟଅପ ଏରିଆ ନାଁରେ ମହାଘୋଟାଲା
-ଡବଲ୍ ଟଙ୍କା ଗଣୁଛନ୍ତି ଗ୍ରାହକ
-ସରକାରୀ ନିୟମ ଭାଙ୍ଗି ଚାଲିଛି ବେପାର
ଆପଣ ଯଦି ଫ୍ଲାଟଟିଏ କିଣିବାକୁ ଯାଉଛନ୍ତି ତେବେ ଏହି ଖବରଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ଏବେ ରିୟଲ ଇଷ୍ଟେଟରେ ଚାଲିଛି ସୁପର ବିଲ୍ଟଅପ ଫ୍ରଡ୍ । ଅତି ଚାଲାଖ ଭାବେ ଗ୍ରାହକଙ୍କଠୁ ଟଙ୍କା ଲୁଟୁଛନ୍ତି ବିଲଡର । ବିଲ୍ଟଅପ ଓ ସୁପର ବିଲ୍ଟଅପ ଏରିଆର ସ୍ୱପ୍ନ ଦେଖାଇ ହୋମ୍ ବାୟରଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକିନେଉଛନ୍ତି ବିଲଡର । କଣ ଏହି ସୁପର ଏରିଆ ସ୍କାମ ? ଏହାକୁ ଜାଣିବାକୁ ହେଲେ ପ୍ରଥମେ ଆପାର୍ଟମେଣ୍ଟର ଗଢଣ ବୁଝନ୍ତୁ…
ଗୋଟିଏ ଆପାର୍ଟମେଣ୍ଟରେ ୩ ପ୍ରକାରର ଏରିଆ ରହିଥାଏ । ଯଥା-
୧-କାର୍ପେଟ ଏରିଆ
୨-ବିଲ୍ଟଅପ ଏରିଆ
୩- ସୁପର ବିଲ୍ଟଅପ ଏରିଆ
କାର୍ପେଟ ଏରିଆ କଣ ?
ଫ୍ଲାଟ ଭିତରର ଜାଗାକୁ କାର୍ପେଟ ଏରିଆ କୁହାଯାଏ । ବେଡରୁମ, କିଚେନ, ବାଥରୁମ, ଡାଇନିଂ ରୁମ, ଷ୍ଟଡି, ଷ୍ଟୋର, ଅନ୍ୟାନ୍ୟ ରୁମ, ଘର ଭିତରେ ଖୋଲୁଥିବା ବାଲକୋନି, ଘର ଭିତରେ ଥିବା ସିଡି, ଇଣ୍ଟରନାଲ ୱାଲ ଏହି ଏରିଆରେ ଆସିଥାଏ ।
ବିଲ୍ଟ ଅପ ଏରିଆ କଣ ?
ଫ୍ଲାଟର ଆଉଟର ୱାଲକୁ ଲାଗିଥିବା ଅଞ୍ଚଳକୁ ବିଲ୍ଟଅପ ଏରିଆ କୁହାଯାଏଁ । ବାଲକୋନି, ସିଡି, ବାହାର ୱାଲ ଆଦି ଅଞ୍ଚଳ ବିଲ୍ଟଅପ ଏରିଆ ।
ସୁପର ବିଲ୍ଟଅପ ଏରିଆ କଣ ?
ଆପଣଙ୍କ ପ୍ଲାଟରେ ଯେଉଁ ଏରିଆ ଆସୁଛି ଏବଂ କମନ ଏରିଆ ହିଁ ସୁପର ବିଲ୍ଟଅପ ଏରିଆ । ଯେପରିକି ଲିପ୍ଟ, କ୍ଲବ ହାଉସ, ଲବି, ସୁଇମିଂ ପୁଲ, ଜିମ, କମନ ଏରିଆ, ପାର୍କିଂ ଇତ୍ୟାଦି ।
ସୁପର ବିଲ୍ଟଅପ ସ୍କାମ କଣ ?
ଏବେ ପ୍ରାୟ ସବୁ ବିଲଡର ଗ୍ରାହକଙ୍କୁ ସୁପର ବିଲ୍ଟଅପ ଏରିଆ ପ୍ଲାଟ କହି ବିକ୍ରି କରୁଛନ୍ତି । ଧରନ୍ତୁ ଗୋଟିଏ ସୁପର ବିଲ୍ଟଅପ ଟୁ ବିଏଚକେ ଫ୍ଲାଟକୁ ୧୦୨୦ ସ୍କୋୟାରଫୁଟ ବୋଲି କୁହାଯାଉଛି । ହେଲେ ଏଥିରେ କାର୍ପେଟ ଏରିଆ ହେଉଛି ମାତ୍ର ୭୧୦ ସ୍କୋୟାରଫୁଟ ଅଞ୍ଚଳ । ଅର୍ଥାତ ଆପଣଙ୍କ ପର୍ସନାଲ ୟୁଜେବୁଲ ଏରିଆ ହେଉଛି ୭୧୦ ସ୍କୋୟାରଫୁଟ । ବାକି ୩୧୦ ସ୍କୋୟାରଫୁଟ କମନ ଏରିଆ । ଅର୍ଥାତ ୭୧୦ ସ୍କୋୟାରଫୁଟ ଏରିଆକୁ ଆପଣଙ୍କୁ ୧୦୨୦ ସ୍କୋୟାରଫୁଟର ବୋଲି କହି ବିକାଯାଉଛି ।
କେମିତି ହେଉଛି ଠକେଇ ?
୧୦୨୦ ସ୍କୋୟାରଫୁଟ ସୁପର ବିଲ୍ଟଅପ ଟୁ ବିଏଚକେ ଫ୍ଲାଟ କିଣିଲେ ଆପଣ ମାତ୍ର ୭୧୦ ସ୍କୋୟାରଫୁଟ କାର୍ପେଟ ଏରିଆ ପାଇବେ । ହେଲେ ୧୦୨୦ ସ୍କୋୟାରଫୁଟ ପାଇଁ ଆପଣଙ୍କୁ ଟଙ୍କା ଗଣିବାକୁ ପଡିବ । ଧରିନିଅନ୍ତୁ ଆପଣ ଯଦି ସ୍କୋୟାରଫୁଟ ପିଛା ୮ ହଜାର ଟଙ୍କା ଦେଉଛନ୍ତି ତେବେ ୧୦୨୦ ସ୍କୋୟାରଫୁଟ ଅଞ୍ଚଳ ପାଇଁ ଟଙ୍କା ଦେବେ । କିନ୍ତୁ ୭୧୦ ସ୍କୋୟାରଫୁଟ ଅଞ୍ଚଳ ହିଁ ଆପଣଙ୍କ ନାଁରେ ରେଜିଷ୍ଟ୍ରେସନ ହେବ । ଅର୍ଥାତ ଆପଣ ଟଙ୍କା ଦେଇ ବି ବାକି ଏରିଆର ମାଲିକ ହେବେନି । କାରଣ କମନ ଏରିଆକୁ ବିକ୍ରି କରିବା ବୈଧ ନୁହେଁ । ଏଥିପାଇଁ ସରକାରୀ କଟକଣା ଲାଗିଥିଲାବେଳେ ବିଲଡର କିନ୍ତୁ ମାନୁନାହାନ୍ତି ।
ଗ୍ରାହକ ଗଣୁଛନ୍ତି ଡବଲ୍ ଦାମ:
ଧରିନିଅନ୍ତୁ ଆପଣ ୭୦୦ ସ୍କୋୟାରଫୁଟ କାର୍ପେଟ ଏରିଆ ବିଶିଷ୍ଟ ଏକ ଫ୍ଲାଟ କିଣୁଛନ୍ତି । ସ୍କୋୟାରଫୁଟ ପିଛା ୮ ହଜାର ଟଙ୍କା ଦରରେ ଆପଣଙ୍କୁ ୫୬ ଲକ୍ଷ ଟଙ୍କା ପଡିବ । ଯଦି ସେହି କାର୍ପେଟ ଏରିଆ ବିଶିଷ୍ଟ ସୁପର ବିଲ୍ଟ ଅଫ ଏରିଆ କିଣୁଛନ୍ତି ତେବେ ଆପଣଙ୍କୁ ୧୩୦୦ ସ୍କୋୟାରଫୁଟ ଏରିଆକୁ କିଣିବାକୁ ପଡିବ । ଏଥିପାଇଁ କୋଟିଏ ୪ ଲକ୍ଷ ଟଙ୍କା ଗଣିବେ । କିନ୍ତୁ ଆପଣଙ୍କ କାର୍ପେଟ ଏରିଆ ସେହି ୭୦୦ ସ୍କୋୟାରଫୁଟ ଏବଂ ରେଜିଷ୍ଟ୍ରେସନ ବି ସମାନ । କିନ୍ତୁ ଆପଣଙ୍କୁ ସୁପର ବିଲ୍ଟ ୃଅଫ ଏରିଆ ପାଇଁ ୪୮ ଲକ୍ଷ ଟଙ୍କା ଅଧିକ ଦେବାକୁ ପଡିବ ।
କଣ କହୁଛି ରେରା ନିୟମ:
ରେରା ନିୟମ ଅନୁସାରେ ଏରିଆ ଅଫ ପ୍ରପର୍ଟି ୩ଟି ଭିନ୍ନ ଉପାୟରେ ଗଣନା କରାଯାଉଛି । ଏଣୁ ଫ୍ଲାଟ କିଣିବା ସମୟରେ ଆପଣ କେତେ ଅଞ୍ଚଳ ପାଇଁ ଟଙ୍କା ଦେଉଛନ୍ତି ଓ କେତେ ଅଞ୍ଚଳ ପାଉଛନ୍ତି ସେଥିରେ ବ୍ୟତିକ୍ରମ ଘଟିପାରେ । କିନ୍ତୁ ଫ୍ଲାଟ ବିକ୍ରି କରିବା ଆଗରୁ ହୋମ୍ ବାୟର କ୍ରେତାଙ୍କୁ କାର୍ପେଟ ଏରିଆ ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ଦେବା ଆବଶ୍ୟକ । କାର୍ପେଟ ଏରିଆ କେତେ ଅଞ୍ଚଳର ତାହା କହିବା ବାଧ୍ୟତାମୂଳକ । ଗ୍ରାହକଙ୍କୁ ସୁପର ବିଲ୍ଡଅପ ଏରିଆ ଓ ୟୁଜେବୁଲ ଏରିଆ ବାବଦରେ ସ୍ପଷ୍ଟ କରିବା ନିହାତି ଆବଶ୍ୟକ । କିନ୍ତୁ ଅସାଧୁ ବିଲଡର ରେରାର ଏହି ନିୟମକୁ ମାନିବାକୁ ନାରାଜ । ଗ୍ରାହକଙ୍କୁ ଅନ୍ଧାରରେ ରଖି ସୁପର ଏରିଆ ନାଁରେ ଫ୍ଲାଟ ବିକ୍ରି କରିଚାଲିଛନ୍ତି ।

