ଅବସର ପରେ ‘ଘର’ ତିଆରି କେତେ ଠିକ୍ ?
ରିଟାୟାର୍ଡ ପରେ ଲୋକେ ଗାଁ ମୁହାଁ କାହିଁକି ?
ଓଡ଼ି ନେଷ୍ଟ : ରାଜଧାନୀରେ ଘର କରିବା ଏତେ ସହଜ ନୁହେଁ । କିଛି ଲୋକଙ୍କ ପାଇଁ ହୁଏତ ସହଜ ହୋଇପାରେ, ଅନେକଙ୍କ ପାଇଁ କଷ୍ଟ । କିନ୍ତୁ ଯଦି ଦେଖିବା ପ୍ରାଇଭେଟ କଂପାନୀର ଛୋଟ ବା ମଧ୍ୟମ ଧରଣର ଚାକିରିିଆଙ୍କ ତୁଳନାରେ ଯେକୌଣସି ସରକାରୀ ଚାକିରିିଆଙ୍କ ପାଇଁ ଘର ତୋଳିବା ନିଶ୍ଚୟ ସହଜ । ଆହୁରି ସହଜ ଅବସର ନେଉଥିବା ସରକାରୀ କର୍ମଚାରୀଙ୍କ ପାଇଁ । ଗୋଟେ ସମୟ ଥିଲା ରିଟାୟାର୍ଡ ପରେ ଘର କରିବା ଗୋଟେ ଟ୍ରେଣ୍ଡ ଥିଲା । ଜାଗା କିଣାଯାଇ ବର୍ଷବର୍ଷ ଧରି ସେମିତି ପଡିଥିବ, ଅବସର ନେବା ପରେପରେ ଘର ତିଆରି ଆରମ୍ଭ ହେବ । ଜିପିଏଫ ଉଠିବ, ଫିକ୍ସ ଡିପୋଜିଟ ଭଙ୍ଗାଯିବ, ଅନ୍ୟାନ୍ୟ ଉତ୍ସରୁ ଉଠାଣ ହୋଇ ଘର ତିଆରି ହେବ । ଏବେ କିନ୍ତୁ ସମୟ ବଦଳୁଛି । ମନକୁ ପ୍ରଥମ ପ୍ରଶ୍ନ ଆସୁଛି, ଚାକିରି ଜୀବନ ଭିତରେ ସହରରେ ଯଦି ଘର ତିଆରି ହୋଇପାରିନି, ତାହେଲେ ରିଟାୟାର୍ଡ ପରେ ଆଉ ଘର ତିଆରି କରିବା କେତେ ଦୂର ଠିକ୍ ? ନିଷ୍ପତ୍ତି ୱାଇଜ ତ ?
ଏକ ସର୍ଭେ ଅନୁଯାୟୀ ଅଧିକାଂଶ ସରକାରୀ ଚାକିରିଆ ଅବସର ପରେ ରାଜଧାନୀ ବା ସହରରେ ରହିବାକୁ ଚାହୁଁନାହାନ୍ତି । ଗାଁକୁ ଫେରିଯିବାକୁ ପସନ୍ଦ କରୁଛନ୍ତି । ସେପରି ସ୍ଥଳେ ଭୁବନେଶ୍ୱରରେ ଘର କରି ପୁଣି ଏକ ବଡ ଇନଭେଷ୍ଟମେଣ୍ଟ କେତେ ଯୁକ୍ତିଯୁକ୍ତ ? ସେମାନଙ୍କ ମନକୁ ବିଭିନ୍ନ ପ୍ରଶ୍ନ ଘାରୁଛି । ଘରକୁ ଯଦି କମର୍ସିଆଲ ଉଦ୍ଦେଶ୍ୟରେ ବ୍ୟବହାର କରା ନଯାଉଛି ତାହେଲେ କିଛି ଫାଇଦା ନାହିଁ । ଜାଗା ଯଦି ସହର ଉପକଣ୍ଠରେ ବା ଆହୁରି ଦୂରରେ, ତାହେଲେ କମର୍ସିଆଲ ଭାବେ ଲାଗିବା ମୁସ୍କିଲ । ଦେଇଦେଇ ଭଡା ଦେଇହେବ । କିନ୍ତୁ କୋଟିଏ ଦେଢ କୋଟି ଖର୍ଚ୍ଚ କରି କୋଡିଏ ତିରିଶ ହଜାର ହଜାର ରିଟର୍ଣ କେତେ ଯୁକ୍ତିଯୁକ୍ତ ? ଏବେ ଦେଶରେ ୬୦ ପ୍ରତିଶତ ଏବଂ ସହରରେ ୮୫ରୁ ଅଧିକ ପ୍ରତିଶତ ପରିବାର ନ୍ୟୁକ୍ଲିୟର ଫ୍ୟାମିଲି ବା ଏକକ ପରିବାର । ପୁଅ ବୋହୂ ତ ବାହାରେ । ଝିଅ ଜ୍ୱାଇଁ ତ ବିଦେଶରେ । ତେଣୁ ବୁଢାବୁଢୀ ଦିଇଟା ଘର ତିଆରିରେ କାହିଁକି ଏତେ ଟେନସନ ନେବେ ! ସହଜେ ତ ଭୁବନେଶ୍ୱର ଆଉ ସେଫ ସିଟି ହୋଇନାହିଁ । ଅପରାଧ ହୁ ହୁ ହୋଇ ବଢିଚାଲିଛି । ବରିଷ୍ଠ ନାଗରିକ ଓ ଛୋଟ ଫ୍ୟାମିଲିକୁ ଟାର୍ଗେଟ କରୁଛନ୍ତି ଅପରାଧୀ । ଡେଲିଡେଲି ମର୍ଡର, ଡେଲିଡେଲି ଲୁଟପାଟ୍ । ତାଛଡା ବାର୍ଧକ୍ୟରେ ନିଷ୍କ୍ରିୟ ଜୀବନଶୈଳୀ ଜୀବନ ପାଇଁ ସବୁଠୁ ବଡ ନକାରାତ୍ମକ କାରକ । ଯାହା ମଣିଷର ହାରାହାରି ଆୟୁକୁ କମାଇଦେବାରେ ମୁଖ୍ୟ କାରକ ସାଜୁଛି । ସେ ଦୃଷ୍ଟିରୁ ସହରର ଆଳସ୍ୟ ଅପେକ୍ଷା ଗାଁରେ ଚଳଚଞ୍ଚଳ ଜୀବନଶୈଳୀ ଅଧିକ ଅର୍ଥପୂର୍ଣ । ଏସବୁ ବାଦ୍ ଏହି ବୟସରେ ମେଡିକାଲ ଇମର୍ଜନ୍ସେି ଏତେ ବଡ ଫ୍ୟାକ୍ଟର ଭାବେ ଉଭା ହୋଇଛି ଯେ ସ୍ୱାସ୍ଥ୍ୟ ପ୍ରାଇମେରୀ ଆଉ ଘର ସେକେଣ୍ଡାରୀ ମନେହେଉଛି ।
ଏସବୁ ଭିତରେ ଟାଇମ ପାସ୍ ସବୁଠୁ ବଡ ପ୍ରସଙ୍ଗ ହୋଇ ଠିଆହେଉଛି । ସହରରେ କାହାକୁ ନେଇ କେମିତି ସମୟ କାଟିହେବ ସେ ପ୍ରଶ୍ନ ପରିଣତ ବୟସ୍କ ଦମ୍ପତିଙ୍କୁ ଅଧିକ ଘାରୁଛି । ଯେଉଁଠି ଆଉ ଆବେଗ ନାହିଁ, ଆଗ୍ରହ ନାହିଁ, ଆନ୍ତରରିକତା ନାହିଁ ସେଇଠି ଅବଶିଷ୍ଟ ଜୀବନ କାଟିବାକୁ ମନ ଟାଣୁନି । ଚାକିରି ଜୀବନର ଅଧାରେ ଯେଉଁଠି ଘରଟିଏ ତିଆରି କରିବାକୁ ପାଗଳପଣ ଥିଲା ଦେଖାଯାଉଛି ରିଟାୟାର୍ଡ ପରେ ସେ ଅନୁଭବ ବଦଳିଯାଉଛି । ରାଜଧାନୀରେ ସଂପର୍କବିହୀନ କୃତ୍ରିମ ଜୀବନ ବଞ୍ଚିବା ଅପେକ୍ଷା ଗାଁରେ ସୁଦୃଶ୍ୟ ଘରଟିଏ ତୋଳି ମରିବା ପର୍ଯ୍ୟନ୍ତ ଶାନ୍ତିପୂର୍ଣ ଜୀବନ ସ୍ପୃୃହଣୀୟ ମନେହେଉଛି । ଗାଁରେ ତ ଏବେ ସହରର ସବୁ ସୁବିଧାସୁଯୋଗ ଉପଲବ୍ଧ । ସବୁ ସେବା ହାତ ପାହାନ୍ତାରେ । ଭଲ ସିନିଅର ସିଟିଜେନ ସେଭିଂ ସ୍କିମ କରିଦେଲେ ଆରାମରେ ବାକି ଜିନ୍ଦେଗୀ କାଟିଦେଇହେବ । ଦେହ ଓ ମନରୁ ବଳ କମିଆସୁଥିବା ବେଳେ ସହରୀ ଏକଲାପଣରେ କିଏ ଏତେ ରିସ୍କ ନେବ !
କଥା ହେଲା ଚିନ୍ତାଧାରାରେ ହଠାତ କାହିଁକି ଏପରି ପରିବର୍ତ୍ତନ ? ସହର ପ୍ରତି କାହିଁକି ଏ ବିମୁଖପଣ ? ଚାକିରି ଜୀବନର ଧାଁ-ଦୌଡ ଭିତରେ ସହରର ଅନେକ କଥା ଅନେକ ଜିନିଷ ଭଲ ଲାଗେ । ରାଜଧାନୀର ଚାକଚକ୍ୟ ଭିତ୍ତିଭୂମି, ଲାଇଫଷ୍ଟାଇଲ, ଆୟର ଏକାଧିକ ଉତ୍ସ, ମନୋରଂଜନର ଯାବତୀୟ ସୁବିଧାସୁଯୋଗ ନିଜ ପାଇଁ ଅନେକ ମାନେ ରଖେ । ଅଫିସରେ ଆଠ ନଅ ଘଣ୍ଟା ବିତାଇବା ସହ ଅନ୍ୟାନ୍ୟ ବାଧ୍ୟବାଧକତା ପାଇଁ ସମୟ ଦେଇସାରି କ୍ଲାନ୍ତ ହୋଇଆସୁଥିବା ବେଳେ ସହର ସୁନ୍ଦର ଲାଗିବା ସ୍ୱାଭାବିକ । ଅତଏବ ଗାଁ ଇନଫେରିୟର, ସହର ଇର୍ଷଣୀୟ ଲାଗେ । କିନ୍ତୁ ଅବସର ପରେ ଏସବୁ ଫିକା ଦିଶେ । ସମୟ କାଟିବାର ଉପାୟ, ପୁରୁଣା ସଂପର୍କ ଯୋଡିବା ଭଳି କଥାର ଗୁରୁତ୍ୱ ହଠାତ ବଢିଯାଏ । ନିଜ ଅଫିସ କଲିଗଙ୍କ ବଦଳରେ ଗାଁର ସ୍କୁଲ କି କଲେଜ ସାଙ୍ଗର ମୁହଁ ବେଶି ମନେପଡେ । ସହରର ଦରଚିହ୍ନା ଓମଫେଡ ଷ୍ଟଲ ବଦଳରେ ଗାଁ ଛକ ଚାଳିଆ ଚା’ ଦୋକନର ଆପଣାପଣ ଜଳଜଳ ଦିଶେ । ରାଜଧାନୀର ଫର୍ମାଲିନ ବୋଳା ମାଛ ଅପେକ୍ଷା ଗାଁ ପୋଖରୀର ମହୁରାଳି ଅଧିକ ସ୍ୱାଦିଷ୍ଟ ଲାଗେ । ଓଟିଡିସିରେ ରଜର କୃତ୍ରିମ ଦୋଳି ଠାରୁ ଗାଁ ମୁଣ୍ଡ ଝଙ୍କାଳିଆ ଗଛର ଦୋଳି ହାତଠାରି ଡାକେ ।
ଏନେଇ କିଛି ବିଲଡରଙ୍କ ପ୍ରତିକ୍ରିୟା ଲୋଡିବାରୁ ସେମାନେ କହନ୍ତି ଯେ ପୂର୍ବ ତୁଳନାରେ ଅବସରପ୍ରାପ୍ତ କର୍ମଚାରୀଙ୍କ ବୁକିଂ କମିବାରେ ଲାଗିଛି । ପୂର୍ବରୁ ଟାର୍ଗେଟ ଗ୍ରୁପରେ ରିଟାୟାର୍ଡ ଏମ୍ପ୍ଲଇ ଥିବା ବେଳେ ଏବେ ଏ ଧାରା ତଡିତ ବେଗରେ ବଦଳିବାରେ ଲାଗିଛି ।

