ଘର କରିବାକୁ ଆଉ ଚିନ୍ତା ନାହିଁ, ଅମ୍ବାନି ଅଛନ୍ତି
ଘର ସ୍ୱପ୍ନ ପୂରା କରିବ ଜିଓ ଫାଇନାନ୍ସିଆଲ
ଗୃହ ଋଣ ପାଇଁ ଦୌଡିବାକୁ ପଡିବନି ବ୍ୟାଙ୍କ
ମାତ୍ର କେତୋଟି କ୍ଲିକରେ ଛିଡା ହେବ ସ୍ୱପ୍ନର ଘର
ଓଡ଼ି ନେଷ୍ଟ : ଘର ନହେଲା ନାହିଁ, ଚାଳ ଘରେ ରହିଯିବି, ନହେଲେ ପ୍ରଧାନମନ୍ତ୍ରୀ ଆବାସକୁ ଅପେକ୍ଷା କରିବି । କିନ୍ତୁ ଆଉ ବ୍ୟାଙ୍କ ଯାଇ ମ୍ୟାନେଜର ଆଗରେ ଗୋଡ ଭାଙ୍ଗି ଛିଡା ହେବିନି କି ସମୟ ସାରିବିନି । ୬ ମାସ ହେଲାଣି ଦୌଡୁଛି, ଗୋଟିଏ ପାଲା ଚଲାଇଛନ୍ତି । ଆଜି ଆ, କାଲି ଆସ କହି ବାଆଁରଉଛନ୍ତି । କେତେବେଳେ ଏ କାଗଜପତ୍ର ଠିକ ନାହିଁ, କେତେବେଳେ ମ୍ୟାନେଜର ନାହାନ୍ତି ଏମିତି କହି କହି ୬ ମାସ ସାରିଦେଲେଣି । ବ୍ୟାଙ୍କ ଋଣ ନଦେଲେ ଯେମିତି ଘର ହେବନି । ଗାଁ ମୁଣ୍ଡ ପୋଖରୀରେ ରଞ୍ଜିଆ ଦାଦାକୁ ଏମିତି କହୁଥିଲା ଭଗିଆ ଦଦା । କାନେଇକି ସବୁ ଶୁଣୁଥିଲା ୨୨ ବର୍ଷର ଟୋକା ସିପୁ । କହିଲା, ଭଗିଆ ଦାଦା ଏଇ ଗୋଟିଏ କାମ ପାଇଁ ୬ ମାସ ହେଲାଣି ଚପଲ ଘୋରୁଛ । ମୋବାଇଲରେ ଯେଉଁ କାମ ହେବ ସେଥିପାଇଁ ଚପଲ ଘୋରିବା କଣ ଦରକାର । ବ୍ୟସ୍ତ ହୁଅନି ଆଉ ଦିନ କେଇଟାରେ ଏଇ ପୋଖରୀ ପାଖରେ ବସି ହୋମ ଲୋନ କରିଦେବା । ଭଗିଆ ଦାଦା ପଚାରୁଥାଏ, ସତରେ ନା କଣ ସିପୁ । କିଏ ଆମକୁ ଦେବ ଏତେ ଟଙ୍କାର ଲୋନ୍ । ସିପୁର ଉତ୍ତର, ଜିଓ ଫାଇନାନ୍ସିଆଲ । ଭଗିଆ ଦାଦା ଭାରି ଉତ୍ସାହିତ ହୋଇ ପଚାରୁଥାଏ କେବେ ମିଳିବ? ସିପୁ କହୁଥାଏ, ଦାଦା ଏତେ ଦିନ ଅପେକ୍ଷା କଲ, ଆଉ ଦିନ କେଇଟା ଅପେକ୍ଷା କର । ଜିଓ ଫାଇନାନ୍ସିଆଲ ଯେଉଁ ହୋମ ଲୋନ ଦେବାକୁ ନିଷ୍ପତ୍ତି ନେଇଛି ତାହା ଏବେ ଆଡଭାନ୍ସ ଷ୍ଟେଜରେ ଅଛି । ଖୁବଶୀଘ୍ର ଖୁସିଖବର ମିଳିବ ।
ଆଜ୍ଞା ହଁ… ସିପୁର କଥାରେ ପୂରା ସତ୍ୟତା ଅଛି । କାରଣ ଅଗଷ୍ଟ ୩୦ରେ କମ୍ପାନିର ପ୍ରଥମ ବାର୍ଷିକ ସାଧାରଣ ବୈଠକରେ ଏନେଇ ଘୋଷଣା କରିଛନ୍ତି ଏମଡି ତଥା ସିଇଓ ହିତେଶ ସେଠିଆ । କମ୍ପାନି ଖୁବଶୀଘ୍ର ହୋମ ଲୋନ ସୁବିଧା ଆଣିବାକୁ ଯାଉଛି । ଏନେଇ ସେୟାରହୋଲଡୋରଙ୍କୁ ସୂଚନା ଦିଆଯାଇଛି । କେବଳ ଏତିକି ନୁହେଁ ସମ୍ପତ୍ତି ପ୍ରତିବଦଳରେ ଋଣ ବ୍ୟବସ୍ଥା ଉପରେ ମଧ୍ୟ କମ୍ପାନି କାମ କରୁଛି । ଯାହାକୁ ଅଳ୍ପ ଦିନର ଅବଧି ଭିତରେ ମାର୍କେଟରେ ଲଞ୍ଚ କରିବାକୁ ବିଚାର ଚାଲିଛି ।
ଜିଓ ଫାଇନାନ୍ସିଆଲରେ କଣ ଲାଭ ମିଳିପାରେ?
– ଡିଜିଟାଲ ଟେକ୍ନୋଲୋଜି ଜରିଆରେ ମିଳିପାରେ ଋଣ
– ବ୍ୟାଙ୍କ ଭଳି କମ୍ପାନିର ଅଫିସକୁ ବାରମ୍ବାର ଦୌଡିବାକୁ ପଡିନପାରେ
ତେବେ ଜିଓ ଫାଇନାନ୍ସିଆଲ ଗୃହ ଋଣ ପାଇଁ ଯେଉଁ ବ୍ୟବସ୍ଥା ଆଣିବାକୁ ଯାଉଛି ସେଥିପାଇଁ ନିର୍ଦ୍ଦିଷ୍ଟ ଗାଇଡଲାଇନ ଏଯାଏଁ ଆସିନାହିଁ । ଗୃହ ଋଣ ପାଇଁ କେମିତି ଆବେଦନ କରିବେ, ଏଥିପାଇଁ କଣ ଆବଶ୍ୟକ, କେଉଁ ଆଧାରରେ ଗୃହ ଋଣ ମିଳିବ ସେନେଇ କମ୍ପାନି ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ । ଜିଓ ଫାଇନାନ୍ସ ପକ୍ଷରୁ ଆସିବାକୁ ଏହି ଗୃହ ଋଣ ସୁବିଧା ଘର କରିବାକୁ ସ୍ୱପ୍ନ ଦେଖୁଥିବା କୋଟି କୋଟି ପରିବାର ପାଇଁ ଖୁସି ଖବର ଆଣି ଦେଇଛି ।

