ବାଙ୍ଗାଲୋରରେ ଜାଗା କିଣିଥିଲେ ମାଲେମାଲ
୫ ବର୍ଷରେ ୯୦% ବଢିଛି ଜମି ମୂଲ୍ୟ
ପ୍ଲଟରୁ ମିଳୁଛି ସର୍ବାଧିକ ରିଟର୍ଣ୍ଣ
ଓଡ଼ିଶାରେ କେତେ ବଢିଛି ଦାମ ?
ଓଡ଼ି ନେଷ୍ଟ : ଆପଣଙ୍କ ପାଖରେ ୧୦ ଲକ୍ଷ ଟଙ୍କା ଅଛି କି ? ଆପଣ ଏ ଟଙ୍କାକୁ ବଢାଇବାକୁ ଚାହୁଁଛନ୍ତି କି ? ପୁଅ ପାଠ ପଢିବା ବେଳକୁ କିଛି ମୋଟ ଅଙ୍କର ଟଙ୍କା ଆବଶ୍ୟକ କରୁଛନ୍ତି କି ? ତେବେ ଆପଣଙ୍କ ପାଖରେ ଥିବା ଟଙ୍କାରେ ଆଖି ବନ୍ଦ କରି କୌଣସି ଏକ ଭଲ ଜମି କିଣିଦିଅନ୍ତୁ । କାରଣ ଏବେ ଦେଶରେ ଜମିରୁ ହିଁ ଭଲ ରିଟର୍ଣ୍ଣ ମିଳିପାରୁଛି । ଭାରତରେ ଇନଭେଷ୍ଟମେଣ୍ଟ ପାଇଁ ଫାଷ୍ଟ ଚଏସ ପାଲଟିଛି ଜମି । କେବଳ ଘର କରିବା ଉଦ୍ଦେଶ୍ୟରେ ନୁହେଁ ବରଂ ନିବେଶ ଲକ୍ଷ୍ୟରେ ବି ଲୋକ ଜାଗା କିଣୁଛନ୍ତି । ବିଭିନ୍ନ ରିସର୍ଚ୍ଚ ଅନୁସାରେ ଗତ ୫ ବର୍ଷରେ ଦେଶରେ ବିଭିନ୍ନ ସ୍ଥାନରେ ୯୦ ପ୍ରତିଶତ ବଢିଛି ଜମି ମୂଲ୍ୟ । ଆମ ଓଡ଼ିଶାରେ ବି ଜମି ମୂଲ୍ୟରେ ଆଶାତୀତ ବୃଦ୍ଧି ଘଟିଛି । ଆସନ୍ତୁ ସମ୍ପୂର୍ଣ୍ଣ ତଥ୍ୟକୁ ପଢିବା.
ରିସର୍ଚ୍ଚ କଣ କହୁଛି:
ଗତ କିଛି ବର୍ଷ ଧରି ଆମ ଦେଶରେ ଜମିର ଚାହିଦା ବଢିଛି । ଲୋକ ଜମି କିଣିବାକୁ ବେଶ୍ ଆଗ୍ରହ ପ୍ରକାଶ କରୁଛନ୍ତି । ସେୟାର ମାର୍କେଟ ଓ ଗୋଲ୍ଡରେ ଇନଭେଷ୍ଟ କରିବା ଭଳି ଲୋକମାନେ ପ୍ଲଟରେ ବି ବିପୁଳ ପରିମାଣର ଟଙ୍କା ଲଗାଉଛନ୍ତି । ଯେଉଁଥିରୁ ଭଲ ମୁନାଫା ମଧ୍ୟ ମିଳିପାରୁଛି । ବିଶେଷକରି ରେସିଡେନସିଆଲ ପ୍ଲଟର ମୂଲ୍ୟ ଅହେତକୁ ବୃଦ୍ଧି ପାଇଛି । ଆନାରକ ନାମକ ଏକ ସଂସ୍ଥା ଦେଶର ୧୭ ହଜାର ୬୫ଟି ଜମିର ମୂଲ୍ୟକୁ ନେଇ ରିସର୍ଚ୍ଚ କରିଥିଲା । ସେଥିରୁ ଯେଉଁ ତଥ୍ୟ ମିଳିଛି ତାହା ସମସ୍ତଙ୍କୁ ଚମକାଇ ଦେଇଛି । ରିପୋର୍ଟ ଅନୁସାରେ ୨୦୧୯ ତୁଳନାରେ ୨୦୨୪ରେ ଗୋଟିଏ ପ୍ଲଟର ମୂଲ୍ୟ ସର୍ବାଧିକ ୯୪ ପ୍ରତିଶତ ବୃଦ୍ଧି ହୋଇଛି । ଅର୍ଥାତ ଆପଣ କୋଟିଏ ଟଙ୍କାରେ କିଣିଥିବା ଜମିଟି ୫ ବର୍ଷ ପରେ ୧ କୋଟି ୯୪ ଲକ୍ଷ ଟଙ୍କା ହୋଇଯାଇଛି ।
କେଉଁଠି ଡବଲ ହୋଇଛି ଜମି ଦାମ:
ବାଙ୍ଗାଲୋରରେ ସର୍ବାଧିକ ବଢିଛି ଜମି ମୂଲ୍ୟ
ସ୍କୋୟାରଫୁଟ ପିଛା ପ୍ରାୟ ୪ ହଜାର ଟଙ୍କା ବୃଦ୍ଧି
ଆନାରକର ରିସର୍ଚ୍ଚ ଅନୁସାରେ ବାଙ୍ଗାଲୋରରେ ଜାଗା ଦାମ ସର୍ବାଧିକ ବୃଦ୍ଧି ଘଟିଛି । ରେସିଡେନସିଆଲ ଜମିର ଦର ଆକାଶ ଛୁଆଁ ହୋଇଛି । ୨୦୧୯ ମସିହାରେ ଯେଉଁ ପ୍ଲଟର ଦାମ ସ୍କୋୟରଫିଟ ପିଛା ୪୩୦୦ ଟଙ୍କା ଥିଲା ତାହା ୨୦୨୪ରେ ୮୧୫୧ ଟଙ୍କାକୁ ବଢିଛି । ଲଗଜୁରୀ ପ୍ଲଟ କଥା ଦେଖିଲେ ଏହା ୯୦ ପ୍ରତିଶତରୁ ମଧ୍ୟ ଅଧିକ ରହିଛି । ୨୦୧୯ରେ ୪୦ ଲକ୍ଷ ଟଙ୍କା ଥିବା ପ୍ଲଟ ଏବେ ୧ କୋଟି ୫ ଲକ୍ଷ ଟଙ୍କା ହୋଇଯାଇଛି ।
- ହାଇଦ୍ରାବାଦ କୋକାପେଟ ଅଞ୍ଚଳରେ ଜମି ମୂଲ୍ୟରେ ୮୯ ପ୍ରତିଶତ ବୃଦ୍ଧି ଦେଇଥିବା ପରିଲକ୍ଷିତ ହୋଇଛି । ୨୦୧୯ରେ ସ୍କୋୟାରଫୁଟ ପ୍ରତି ୪,୭୫୦ ଟଙ୍କା ଥିବା ଜମିର ମୂଲ୍ୟ ୨୦୨୪ରେ ୯ ହଜାର ଟଙ୍କାକୁ ବୃଦ୍ଧି ପାଇଛି ।
- ବାଙ୍ଗାଲୋର ହ୍ବାଇଟଫିଲ୍ଡ ଅଞ୍ଚଳରେ ଜମିର ମୂଲ୍ୟ ୮୦ ପ୍ରତିଶତ ବୃଦ୍ଧି ଘଟିଛି । ୧୮,୬୦୦ଟି ଜମି ମୂଲ୍ୟକୁ ନେଇ କରାଯାଇଥିବା ରିସର୍ଚ୍ଚ ଅନନୁସାରେ ଏଠାରେ ୨୦୧୯ରେ ୪୭୬୫ ଟଙ୍କା ଥିବା ସ୍କୋୟାରଫୁଟର ଦାମ ୨୦୨୪କୁ ୮,୬୦୦ ଟଙ୍କାକୁ ବଢିଛି ।
- ଏନସିଆର ଦ୍ବାରକା ଏକ୍ସପ୍ରେସ ନିକଟରେ ବି ଜମିର ମୂଲ୍ୟରେ ୭୯ ପ୍ରତିଶତ ବୃଦ୍ଧି ଘଟିଛି । ୫ ବର୍ଷରେ ସ୍କୋୟାରଫୁଟ ପିଛା ୫୩୫୯ ଟଙ୍କା ଥିବା ଜମି ୯୬୦୦ ଟଙ୍କାକୁ ବଢିଛି ।
- ହାଇଦ୍ରାବାଦ ବାଚୁପାଲ୍ଲି ଅଞ୍ଚଳରେ ୫ ବର୍ଷରେ ଜମିର ଦାମ ୫୭ ପ୍ରତିଶତ ବୃଦ୍ଧି ଘଟିଛି ।
- ଏମଏମଆରର ଡୋମ୍ଭିଲି ଅଞ୍ଚଳରେ ଜମିର ମୂଲ୍ୟରେ ସର୍ବନିମ୍ନ ୪୦ ପ୍ରତିଶତ ବୃଦ୍ଧି ଘଟିଛି ।
- କୋଲକାତାରେ ଜମିର ମୂଲ୍ୟରେ ୨୫ ପ୍ରତିଶତ ବୃଦ୍ଧି ଘଟିଛି
କରୋନା ପରେ ଜାଗାର ଦାମ ବିଶେଷ ବୃଦ୍ଧି ପରିଲକ୍ଷିତ ହୋଇଛି । କରୋନା ପରେ ଜମିର ଚାହିଦା ବଢିଛି । ଲୋକମାନେ ଜମିରେ ନିବେଶ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ଫଳରେ ଦେଶର ବିଭିନ୍ନ ସ୍ଥାନରେ ଜମିର ମୂଲ୍ୟରେ ଏପରି ବୃଦ୍ଧି ହେଉଥିବା ବିଶେଷତଜ୍ଞମାନେ କହିଛନ୍ତି ।
ଓଡିଶାରେ କେତେ ବଢିଛି ଜମି ଦାମ ?
ଓଡିଶାରେ ଦିନକୁ ଦିନ ଜମିରେ ଇନଭେଷ୍ଟ ବଢିବାରେ ଲାଗିଛି । ଯଦିଓ ଓଡିଶାରେ ଏହାକୁ ନେଇ ରିସର୍ଚ୍ଚ ସମ୍ପର୍କରେ ଠୋସ୍ ତଥ୍ୟ ଆମର ହସ୍ତଗତ ହୋଇନାହିଁ, ତଥାପି ଆମ ରାଜ୍ୟରେ ପ୍ଲଟ ଭଲ ରିଟର୍ଣ୍ଣ ପ୍ରଦାନ କରୁଛି । ବିଶେଷ କରି ସହର ଗୁଡ଼ିକରେ ଲୋକମାନେ ଜମି କିଣିବାକୁ ଭଲପାଉଛନ୍ତି । ସହରଠୁ ଅଳ୍ପ ଦୂରରେ ମଧ୍ୟ ଜମି କିଣି ଭବିଷ୍ୟତ ଆବଶ୍ୟକତା ଉଦ୍ଦେଶ୍ୟରେ ରଖୁଛନ୍ତି । ଏଣୁ ଓଡିଶାରେ ଜମି ଏବେ ଭଲ ରିଟର୍ଣ୍ଣ ପ୍ରଦାନ କରୁଛି ଏବଂ ଆଗକୁ ମଧ୍ୟ ଆହୁରି ଲାଭ ଦାୟକ ହୋଇପାରେ ।

