ଓଡ଼ି ନେଷ୍ଟ : ଜହ୍ନ ରାଇଜରେ ଜାଗାଟେ କିଣିଛି… ତାରା ଫୁଲରେ ଘରଟେ କରିଛି…। ସୁରେଶ ୱାଡ଼କର ଗାଇଥିବା ଏହି ସୁପରହିଟ୍ ଓଡ଼ିଆ ଆଲବମ୍ ଗୀତର ପଂକ୍ତି, ପ୍ରେମିକର ଯେ ଏକ ନିହାତି ଅବାସ୍ତବ କଳ୍ପନା ତା ନୁହେଁ । ଜହ୍ନରେ ଜାଗା କିଣିବାକୁ ଅନେକଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ହେଲାଣି ଏବଂ ବିଗତ କିଛି ବର୍ଷ ହେଲା ବହୁ ସେଲିବ୍ରିଟିଙ୍କ ସମେତ ସାଧାରଣ ଲୋକ ଜହ୍ନରେ ଜାଗା ମଧ୍ୟ କିଣିଲେଣି । ଯଦିଓ ଅନ୍ତର୍ଜାତୀୟ ମହାକାଶ ରାଜିନାମା ଅନୁସାରେ ଜହ୍ନ କିମ୍ବା ଅନ୍ୟ କୌଣସି ମହାଜାଗତିକ ପିଣ୍ଡରେ ଜାଗା କିଣାବିକା ବୈଧ ନୁହେଁ, ତଥାପି ଦେଶ ବିଦେଶର ବହୁ ଘରୋଇ ସଂସ୍ଥା ଜହ୍ନରେ ଜାଗା ବିକୁଛନ୍ତି ଏବଂ ଲୋକମାନେ ଟଙ୍କା ଦେଇ ଏହାକୁ କିଣୁଛନ୍ତି ମଧ୍ୟ । ଜହ୍ନରେ ୧ ଏକର ଜମିର ଦାମ୍ ପ୍ରାୟ ୩ ରୁ ୪ହଜାର ଟଙ୍କା ଦରରେ ବିକ୍ରି ହେଉଛି ।
ଜହ୍ନରେ ଜାଗା କିଣିବାର ୪ ବଡ଼ କାରଣ:
ଯଦିଓ ଚନ୍ଦ୍ରପୃଷ୍ଠରେ ଜମି କିଣାବିକାର ବୈଧତା ଗୋଟିଏ ପ୍ରସଙ୍ଗ, ହେଲେ ଅର୍ଥ ବ୍ୟୟ କରି ପୃଥିବୀ ବାହାରେ ଜମିଜାଗା କିଣିବାକୁ ଲୋକଙ୍କ ମନରେ ଆଗ୍ରହ ସୃଷ୍ଟି ହେବା ନିଶ୍ଚିତ ରୂପେ ଭିନ୍ନ ଏକ ପ୍ରସଙ୍ଗ । ହିନ୍ଦୁସ୍ତାନ ଟାଇମ୍ସର ଏକ ରିପୋର୍ଟ ଅନୁସାରେ, ମୁଖ୍ୟତଃ ୪ ଟି କାରଣ ପାଇଁ ମଣିଷ ଜହ୍ନରେ ଜାଗା କିଣିବାକୁ ମନ ବଳାଉଛି । ପ୍ରଥମ ୩ଟି କାରଣ ସ୍ୱାଭାବିକ ହୋଇଥିବା ବେଳେ, ଚତୁର୍ଥ କାରଣଟି ଖୁବ୍ ରୋଚକ । ପ୍ରଥମ ୩ଟି କାରଣ ହେଲା- ପ୍ରେମ, ଗର୍ବ ଓ ଆଶା । ଅର୍ଥାତ୍ କିଛି ଲୋକ ଉତ୍ସୁକତା ବଶତଃ ଜହ୍ନରେ ଜାଗା କିଣୁଛନ୍ତି ଏବଂ ନିଜ ପ୍ରେମୀ ବା ପ୍ରିୟଜନଙ୍କୁ ଜନ୍ମଦିନ ଓ ବିବାହ ଉତ୍ସବ ଆଦି ଅବସରରେ ନିଆରା ଉପହାର ଭାବେ ଭେଟି ଦେଉଛନ୍ତି। କିଛି ଜଣ ଜହ୍ନରେ ଗୋଟିଏ ଜାଗାର ମାଲିକ ଭାବେ ନିଜକୁ ନିଜେ ଗର୍ବ ଅନୁଭବ କରିବାକୁ ଟଙ୍କା ଖର୍ଚ୍ଚ କରୁଛନ୍ତି । ଆଉ କେତେଜଣ ଏହି ଆଶାରେ ଜାଗା କିଣୁଛନ୍ତି ଯେ, ମହାକାଶ ବିଜ୍ଞାନ ଆଗେଇବା ସହିତ କାଳେ ଦିନେ ହୁଏତ ସତକୁ ସତ ଜହ୍ନକୁ ସାଧାରଣ ମଣିଷର ଯିବା ଆସିବା ଅତି ସହଜ ହୋଇଯିବ ଏବଂ ସେଠାରେ ଜନବସତି ସ୍ଥାପନ ହେବ । ପୂର୍ବରୁ ଜାଗାଟିଏ କିଣି ପକାଇ ରଖିଥିଲେ, ସେତେବେଳେ ତାହାକୁ ନିଜର ବୋଲି ଦାବି କରିହେବ ।
ପୃଥିବୀରେ ନିଜକୁ ଅସୁରକ୍ଷିତ ମଣୁଛି କି ମଣିଷ?
ପୂର୍ବ ବର୍ଣ୍ଣିତ ୩ଟି କାରଣ ପରେ, ମଣିଷ ଜହ୍ନରେ ଜାଗା କିଣିବାର ଚତୁର୍ଥ କାରଣଟି ହେଉଛି ଇନସିକ୍ୟୁରିଟି ବା ଅସୁରକ୍ଷିତ ଭାବ । ଆମ ନୀଳଗ୍ରହ ପୃଥିବୀର ବୟସ ସାଢ଼େ ୪ଶହ କୋଟି ବର୍ଷ ହୋଇଥିବା ବେଳେ, ପ୍ରାୟ ୩ ଲକ୍ଷ ବର୍ଷ ହେଲା ମଣିଷ ଏହା ଉପରେ ବିଚରଣ କରୁଛି । ତେବେ ଜନସଂଖ୍ୟା ବିସ୍ଫୋରଣ, ପରିବେଶ ପ୍ରଦୂଷଣ, ଯୁଦ୍ଧ ବିଭୀଷିକା ଓ ବିନାଶକାରୀ ପ୍ରାକୃତିକ ବିପର୍ଯ୍ୟୟ ଆଦି କାରଣ ଯୋଗୁଁ ଧୀରେ ଧୀରେ ପୃଥିବୀରେ ମଣିଷ ତିଷ୍ଠିବା ଜଟିଳ ତଥା କଷ୍ଟସାଧ୍ୟ ହୋଇପଡ଼ୁଛି । ମଣିଷ ଦ୍ୱାରା ମାତ୍ରାଧିକ ଓ ଅଦୂରଦର୍ଶୀ ବିନିଯୋଗ ଯୋଗୁଁ ବହୁ ଅତ୍ୟାବଶ୍ୟକ ପ୍ରାକୃତିକ ସମ୍ବଳ ଧରାପୃଷ୍ଠରୁ ସରି ସରି ଆସୁଥିବା ବେଳେ, ଆଉ କିଛି ଦଶନ୍ଧି କି ଶତାବ୍ଦୀ ପରେ ଏଠାରେ ରହିବା ଏକପ୍ରକାର ଅସମ୍ଭବ ହୋଇପଡ଼ିବ ବୋଲି ଗବେଷକ ମାନେ ଆଶଙ୍କା କରୁଛନ୍ତି ।
ଯେତେବେଳେ ପୃଥିବୀ ଆଉ ନିରାପଦ ରହିବ ନାହିଁ, ସେତେବେଳେ ମଣିଷ ଯିବ କୁଆଡ଼େ ? ତେଣୁ ନିଜର ସତ୍ତା ବଞ୍ଚାଇବାକୁ ଯାଇ ଏବେ ଠାରୁ ପୃଥିବୀ ବାହାରେ ବାସୋପଯୋଗୀ ଗ୍ରହ ଓ ଉପଗ୍ରହ ଆଦିର ସନ୍ଧାନ ଚାଲିଛି । ମହାଜାଗତିକ ପିଣ୍ଡ କଥା ଦେଖିଲେ, ଚନ୍ଦ୍ର ଆମର ସବୁଠୁ ନିକଟତମ । ସେହି ଦୃଷ୍ଟିରୁ ଚନ୍ଦ୍ରପୃଷ୍ଠରେ ଯଦି ରହିବା ସମ୍ଭବ ହୁଅନ୍ତା, ତେବେ ମାନବଜାତି ପାଇଁ ତା’ଠୁ ବଳି ଆଶ୍ବସ୍ତିର କଥା ଆଉ କଣ ବା ହୋଇପାରେ । ଏଥିପାଇଁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ସମେତ ବିଭିନ୍ନ ଅଗ୍ରଣୀ ଦେଶର ସ୍ପେଶ୍ ଏଜେନ୍ସି ଜହ୍ନରେ ଜଳ ଠୁ ଆରମ୍ଭ କରି ମଣିଷ ରହିବା ପାଇଁ ଅନ୍ୟ ଆବଶ୍ୟକ ଉପାଦାନ ଆଦିର ସନ୍ଧାନ କରୁଛନ୍ତି । ସେଠାରେ ଜନବସତି ସୃଷ୍ଟି ଲାଗି ଅନୁକୂଳ ପରିବେଶ ଖୋଜୁଛନ୍ତି ଏବଂ କୃତ୍ରିମ ଭାବେ ତିଆରି କରାଯାଇପାରିବ କି ନାହିଁ, ସେସଂପର୍କରେ ଗବେଷଣା କରୁଛନ୍ତି । ଏଥିରେ ଯଦି ନିକଟ ଭବିଷ୍ୟତରେ ସଫଳତା ମିଳେ, ତେବେ ଜହ୍ନ ରାଇଜରେ ଜାଗା କିଣିବାକୁ ଓ ଘର କରିବାକୁ କିଏ ବା ନଚାହିଁବ ?

